ଭୁବନେଶ୍ୱର (ଆମ ଟିଭି): ପୁଣି କଳିଙ୍ଗ ଲାନ୍ସର୍ସ ହେଲା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ଫାଇନାଲ୍ ମ୍ୟାଚରେ ରାଞ୍ଚି ରୟାଲ୍ସକୁ ୩-୨ରେ ହରାଇ କଳିଙ୍ଗ ଲାନ୍ସର୍ସ ବିଜେତା ହେଇଛି । ଦ୍ଵିତୀୟ ଥର ଚାମ୍ପିଅନ ହୋଇଛି କଳିଙ୍ଗ ଲାନ୍ସର୍ସ। ଏହା ପୂର୍ବରୁ ଦଳ ୨୦୧୭ରେ ଚାମ୍ପିଅନ ହୋଇଥିଲା। ଚାମ୍ପିଅନ ବେଦାନ୍ତ କଳିଙ୍ଗ ଲାନ୍ସର୍ସକୁ ସ୍ୱର୍ଣ୍ଣ ପଦକ ସହ ୩ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ମ୍ୟାଚ ଆରମ୍ଭରୁ ପ୍ରଭାବଶାଳୀ ପ୍ରଦର୍ଶନ ଜାରି କରିଥିଲା ବେଦାନ୍ତ କଳିଙ୍ଗ ଲାନ୍ସର୍ସ। ମାତ୍ର ୪ ମିନିଟରେ ଏକ ପେନାଲଟି ଗୋଲ ଦେଇ ୧-୦ ରେ ଆଗୁଆ ରହିଥିଲା କଳିଙ୍ଗ ଲାନ୍ସର୍ସ। ପରେ ରାଞ୍ଚି ପକ୍ଷରୁ ୯ ମିନିଟ ସୁଦ୍ଧା ଏକ ଫିଲଡ଼ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ ଅରାଇଜିତ ସିଂ ହୁଣ୍ଡାଲ। ଦ୍ଵିତୀୟ କ୍ଵାର୍ଟରରେ କଳିଙ୍ଗ ଲାନସର୍ସଙ୍କୁ ପଛକୁ ପଛ ୩ଟି ପେନାଲଟି ମିଳିଥିଲା। ଆଉ ଗୋଟିଏ ଗୋଲ କରିଥିଲା କଳିଙ୍ଗ ଲାନ୍ସର୍ସ। ଦିଲପ୍ରୀତ ସିଂଙ୍କ ଏହି ଗୋଲ ବଳରେ ଦଳକୁ ୨-୧ ରେ ଅଗ୍ରଣୀ କରାଇଥିଲା।
ପରେ ପୁଣି ଦୁଇଟି ବ୍ୟାକ ଟୁ ବ୍ୟାକ ପେନାଲଟିରୁ ଗୋଟିଏ ଗୋଲ କରି ଦଳକୁ ୩-୧ ରେ ଆଗୁଆ କରିଥିଲେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ। ତୃତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ପେନାଲଟି ସୁଯୋଗ ହାତଛଡା କରିଥିଲେ। ଶେଷ କ୍ୱାର୍ଟର ତଥା ୫୧ ମିନିଟରେ ରାଞ୍ଚି ରୟାଲସ ଲାଗ ଲାଗ ଦୁଇଟି ପେନାଲଟି ସୁଯୋଗ ହାତଛଡା କରିଥିଲା। ଶେଷ କ୍ୱାର୍ଟରରେ ରାଞ୍ଚିକୁ ୫ ଟି ପେନାଲଟି ସୁଯୋଗ ମିଳିଥିଲେ ବି ମାତ୍ର ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା ଦଳ। ଶେଷରେ ୩-୨ ରେ ଟାଇଟଲ ଜିତିଲା ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ।
ହକି ଇଣ୍ଡିଆ ଲିଗର ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି ହାଇଦ୍ରାବାଦ ତୁଫାନ୍ସର ଅମନଦୀପ ଲାକ୍ରା। ସେହିଭଳି ଅପକମିଂ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି ପ୍ରିୟୋବତ୍ର ତାଲେମ । ସେ ଏଚଆଇଏଲ୍ ଜିସି ପାଇଁ ଖେଳୁଥିଲେ ।