ମୟୁରଭଞ୍ଜ ଉତ୍ସବ ୨୦୨୬ ଦ୍ଵିତୀୟ ସନ୍ଧ୍ୟା

0

ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ଵର ଜାନୁଆରୀ ୩୧ ଦ୍ଵିତୀୟ ସନ୍ଧ୍ୟାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ମଣ୍ଡପ ଠାରେ ମୟୁରଭଞ୍ଜ ସାଂସ୍କୃତିକ ସଂସଦ, ଭୁବନେଶ୍ଵର ଦ୍ଵାରା ଆୟୋଜିତ ଐତିହାସିକ ତିନିଦିନିଆ ଏକାଦଶ ମୟୁରଭଞ୍ଜ ଉତ୍ସବର ଦ୍ବିତୀୟ ସନ୍ଧ୍ୟା ମହାସମାରୋହରେ ସମାପନ ହୋଇଯାଇଛି । ଦ୍ଵିତୀୟ ସନ୍ଧ୍ୟାର ଉଦ୍‌ଘାଟକ ଥିଲେ ସଂସଦର ସଭାପତି ତଥା ଆମ ରାଜ୍ୟର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ତାଙ୍କ ସହ ମଞ୍ଚାସୀନ ଥିଲେ ସାଧାରଣ ସଂପାଦକ ଡକ୍ଟର ରଜନୀକାନ୍ତ ବିଶ୍ବାଳ, ସଂପାଦକ ଚିନ୍ମୟ ଦାସ ପଟ୍ଟନାୟକ ଓ ସଂପାଦକ ସ୍ୱରୂପ ରଞ୍ଜନ ଦାସ। ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ ହେବା ପରେ ଆରମ୍ଭ ହୋଇଥିଲା ଦ୍ଵିତୀୟ ସନ୍ଧ୍ୟାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଥମେ ଅଡ଼ିଓ ଭିଜୁଆଲ୍ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ମୟୁରଭଞ୍ଜ ଉତ୍ସବର ଶୀର୍ଷକ ସଂଗୀତ ।


ପରିଚାଳନା କରିଥିଲେ ସିନେ ନିର୍ଦ୍ଦେଶକ ତାପସ ସରଘରିଆ ଓ ଟିମ୍। ପରେ ପରେ ଆରମ୍ଭ ହୋଇଥିଲା କରଞ୍ଜିଆସ୍ଥିତ ନୃତ୍ୟଶ୍ରୀ ଅନୁଷ୍ଠାନ ଦ୍ଵାରା ମନମୁଗ୍ଧକର ଗଣେଶ ବନ୍ଦନା ନୃତ୍ୟ। ରାଇରଙ୍ଗପୁରସ୍ଥିତ ବାଦଡା ଛଉ ନୃତ୍ୟ ପ୍ରତିଷ୍ଠାନ ଦ୍ଵାରା ପରିବେଷିତ ଉଚ୍ଚକୋଟୀର ବିଶ୍ଵ ପ୍ରସିଦ୍ଧ ଛଉନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ ମୟୁରଭଞ୍ଜ ଝୁମର ମେଲୋଡି, ପାଲ୍‌ବନ୍ଧ, ଡୁକୁରା ଦ୍ଵାରା ଜମାଣିଆ ଝୁମର ଗୀତ ନାଚ ସମସ୍ତଙ୍କୁ ବିମୋହିତ କରିଦେଇଥିଲା। ବାରିପଦାର ଗୁରୁକୁଳ ଡ୍ୟାନ୍‌ ଏକାଡ଼େମୀ, ବେତନଟୀର ଭୂମି ଡ୍ୟାନ୍ସ ଷ୍ଟୁଡିଓ, କରଞ୍ଜିଆର ନୃତଶ୍ରୀ ଅନୁଷ୍ଠାନ ଦ୍ବାରା ପରିବେଷିତ ଓଲିଉଡ୍-ବଲିଉଡ୍ ମିକ୍ସ ଆଧୁନିକ ନୃତ୍ୟ ମନୋରଞ୍ଜନର ଖୋରାକ ଯୋଗାଇଥିବା ବେଳେ ପ୍ରଚ୍ଛଦପଟ ଗାୟକ ସାଗର ଲେଙ୍କା ଓ ହଂସରାଜ ଦାସଙ୍କ ଗାୟନ ସମବେତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଦ୍ଵିତୀୟ ସନ୍ଧ୍ୟାର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ହାସ୍ୟ ଅଭିନେତା ଶ୍ରୀ ତତ୍ତ୍ଵ ପ୍ରକାଶ ଶତପଥୀ ଓରଫ ପପୁ ପମ୍ ପମ୍ । ନିଜର ସ୍ଵତନ୍ତ୍ର ପ୍ରତିଭା ଦେଖାଇ ସେ ପ୍ରତିଟି ଦର୍ଶକଙ୍କ ହୃଦୟକୁ ଜିଣିବାରେ ସକ୍ଷମ ହେଇପାରିଥିଲେ। ଉତ୍ସବର ଅନ୍ୟତମ ଆକର୍ଷଣ କ୍ରାଫ୍ଟ ମେଳାରେ ପଥର, ଟସର, ବାଉଁଶ ଓ ସବାଇଘାସର କାରୁକାର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିବାବେଳେ ମୟୁରଭଞ୍ଜର ପ୍ରସିଦ୍ଧ ସୁଆଦିଆ ବ୍ୟଞ୍ଜନ ମୁଢ଼ିମାଂସ, ଦଳାଖେଚୁଡ଼ି, ରାମ ରୋଚକ ବଡ଼ା ତରକାରୀ, ଆରିସା ପିଠା, ଗୁଡଲଡୁ ସମସ୍ତଙ୍କ ଆମୋଦିତ କରିଥିଲା।

ଦ୍ଵିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ପରିଚାଳନା ସଂସଦର ସଂପାଦକ ତଥା ଓଡ଼ିଆ ସିନେ ଜଗତର ବିଶିଷ୍ଟ ଲେଖକ ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ କରିଥିବା ବେଳେ ଉପସ୍ଥାପନା ଦାୟିତ୍ଵରେ ଥିଲେ ସିନେ ଜଗତର ବିଶିଷ୍ଟ ଅଭିନେତା ସୁକାନ୍ତ ରଥ। ରବିବାର ମଧ୍ୟ ଅନେକ ଧମାକାଦାର କାର୍ଯ୍ୟକ୍ରମ ରହିଥ‌ିବା ବେଳେ ଏହି ତିନି ଦିନିଆ ଐତିହାସିକ ମୟୁରଭଞ୍ଜ ଉତ୍ସବକୁ ମନଭରି ଉପଭୋଗ କରିବା ପାଇଁ ନିଶୁଳ୍କ ପ୍ରବେଶର ବ୍ୟବସ୍ଥା ରହିଛି ବୋଲି ସଂସଦର ସଂପାଦକ ତଥା ବିଶିଷ୍ଟ ଉଦ୍ୟୋଗପତି ସ୍ଵରୂପ ରଞ୍ଜନ ଦାସ ସ୍ପଷ୍ଟିକରଣ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସାଧାରଣ ସଂପାଦକ ଡକ୍ଟର ରଜନୀକାନ୍ତ ବିଶ୍ବାଳ ।

Leave A Reply

Your email address will not be published.