୭ରେ ପରିବେଷଣ ହେବ ଗୀତିନାଟ୍ୟ ‘ଅଭିମନ୍ୟୁ ବଦ୍ଧ’, ୩୫ଜଣ ଶିଶୁ କଳାକାର ଭାଗ ନେବେ

0

ଭୁବନେଶ୍ବର (ଆମ ଟିଭି): ଗଣକବି ବୈଷ୍ଣବ ପାଣିଙ୍କ ଲିଖିତ ‘ଅଭିମନ୍ୟୁ ବଦ୍ଧ’ ର ଗୀତିନାଟ୍ୟ ରୂପାନ୍ତର କରାଯିବ । ଆସନ୍ତାକାଲି(ମାର୍ଚ୍ଚ ୭)ରେ ଏହି ଗୀତିନାଟ୍ୟ ରବୀନ୍ଦ୍ର ମଣ୍ଡପରେ ପରିବେଷଣ ହେବ । ଏଥିରେ ୩୫ଜଣ ଶିଶୁ କଳାକାର ଭାଗ ନେବେ । ସେମାନେ ହିଁ ଅଭିନୟ କରିବା ସହ ଗୀତ ଗାଇବେ ଓ ଡବିଂ କରିବେ । ଏହି ଶିଶୁ କଳାକାରମାନେ ଖଣ୍ଡଗିରି ସରକାରୀ ହାଇସ୍କୁଲ, ଜାଗମରା ଓ ବରମୁଣ୍ଡା ୟୁପି ସ୍କୁଲର ଛାତ୍ରଛାତ୍ରୀ ଅଟନ୍ତି ।

ଶିଶୁ ନାଟକ ଉପରେ କାମ କରୁଥିବା ସଙ୍ଗଠନ ‘କୁନି କଳାକାର କାରନାମା’ ସହ ପିଙ୍କଉଡ୍ କ୍ରିଏସନ ଓ ପେସ୍ ଫାଉଣ୍ଡେସନର ମିଳିତ ସହଯୋଗରେ ଏହି ଗୀତିନାଟ୍ୟ ମଞ୍ଚସ୍ଥ ହେବାକୁ ଯାଉଛି । ଗୁରୁବାର ଖଣ୍ଡଗିରି ସରକାରୀ ହାଇସ୍କୁଲ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କୁନି କଳାକାର କାରନାମାର ଌ୍ରତିଷ୍ଠାତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ ।

ପିଙ୍କି କହିଛନ୍ତି, ବର୍ତ୍ତମାନ ସମୟରେ ଶିଶୁମାନେ ନାଟକ ତଥା ଗୀତିନାଟ୍ୟରୁ ଦୂରେଇ ଯାଉଛନ୍ତି । ମୋବାଇଲରେ ଖେଳିବା ଓ ଦେଖିବାରେ ସେମାନେ ଅଧିକାଂଶ ସମୟ ବିତାଉଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ନାଟ୍ୟ ମନସ୍କ କରାଇବା ସଙ୍ଗଠନର ଲକ୍ଷ୍ୟ ରହିଛି । ଓଡ଼ିଆ ଅସ୍ମିତାକୁ ବଞ୍ଚାଇବାକୁ ଆମେ ସେହିଭଳି ଏକ ବଳିଷ୍ଠ କାହାଣୀକୁ ପ୍ରାଧାନ୍ୟ ଦେଉଛୁ ।

ପ୍ରଥମେ ଭୁବନେଶ୍ୱର ଓ ପରେ ଏହା ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବ ବୋଲି ପିଙ୍କି କହିଥିଲେ । ଏହି ଗୀତିନାଟ୍ୟକୁ ନିର୍ଦ୍ଦେଶନା ସାତ୍ତ୍ୱକି ରାଜା, ରାଜେଶ ମଲ୍ଲିକ ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଚୌଧୁରୀ । ଆ ଜିର ସାମ୍ବାଦିକ ସମ୍ମିଳନୀରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କବିତା ଦଣ୍ଡପାଟ, ପେସ୍ ଫାଉଣ୍ଡେସନର ମୋନାଲି ମହାନ୍ତି, ରାଜେଶ ମଲ୍ଲିକ, ସାତ୍ତ୍ୱକି ରାଜା ଓ କୋରିଓଗ୍ରାଫର୍ ପୁଷ୍ପାଞ୍ଜଳି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.