ଓଡ଼ିଶାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସଙ୍ଗିନୀ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଏକ ବୃହତ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାତା ସଦସ୍ୟା ନୀଳିମା ବାଡ଼ୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ଶିକ୍ଷା, କଳା, ପରିବେଶ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ‘ଶକ୍ତି ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ପାଇକ ଆଖଡ଼ା ମହାସଂଘ ସଭାପତି ଶ୍ରୀ ପ୍ରକାଶ ଶ୍ରୀଚନ୍ଦନ, ଆୟକର ବିଭାଗ ଡେପୁଟି କମିଶନର ତଥା ବିଶିଷ୍ଟ କବି ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ର (IRS), ମହିଳା ଅଧିକାର କର୍ମୀ ଶ୍ରୀମତୀ ନମ୍ରତା ଚଢ଼ା ଏବଂ ଓଲିଉଡ ଅଭିନେତ୍ରୀ ପୁନମ ମିଶ୍ର ଓ ସ୍ଵପ୍ନା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।
ଏହି ଅବସରରେ ସମାଜର ବିଭିନ୍ନ ବର୍ଗରୁ ବଛା ବଛା ୧୦ ଜଣ ପ୍ରତିଭାଙ୍କୁ ‘ଶକ୍ତି ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ କାର୍ଯ୍ୟକ୍ରମ ଆୟୋଜକ ତପନ ପଣ୍ଡା, ଶିକ୍ଷାବିତ ଲିନା ଦାସ, ମେଡିଆ ପ୍ଲାନର ପ୍ରଣୟ ଜେଠି, ମେକ୍ଅପ୍ ଆର୍ଟିଷ୍ଟ ବବିତା ମହାନ୍ତି ଓ ବଂଶିତା ସାହୁ, କୋରିଓଗ୍ରାଫର ସୁଧୀର କୁମାର ବାରିକ, ଫ୍ୟାଶନ ଡିଜାଇନର୍ ଉଷାରାଣୀ, ଅଭିନେତ୍ରୀ ଲିପିକା, ସାମାଜିକ କର୍ମୀ ନିବେଦିତା ରଥ, ପ୍ରଫେସର ଡକ୍ଟର ମଧୁସ୍ମିତା ଦାସ ଏବଂ ଶେଫ୍ ସଙ୍ଗୀତା ଦାସ ଅନ୍ତର୍ଭୁକ୍ତ।
କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ସଙ୍ଗିନୀ ଫାଉଣ୍ଡେସନ ପକ୍ଷରୁ ବରମୁଣ୍ଡା ଜଗନ୍ନାଥ ମନ୍ଦିର ଓ ପଳାସୁଣୀ ହାଇସ୍କୁଲରେ ବୃକ୍ଷରୋପଣ ଏବଂ ଏମ୍ସ ନିକଟସ୍ଥ ପ୍ରାଣୀ ଆଶ୍ରୟସ୍ଥଳୀରେ ସେବା ପ୍ରଦାନ କରାଯାଇଛି। ପୂର୍ବରୁ ପୁରୀ ରଥଯାତ୍ରା ସମୟରେ ମାଗଣା ଖାଦ୍ୟ ବଣ୍ଟନ, ଶୀତଦିନେ ବସ୍ତି ଅଞ୍ଚଳରେ କମ୍ବଳ ବଣ୍ଟନ ଓ ରକ୍ତଦାନ ଶିବିର ଭଳି ମହତ କାର୍ଯ୍ୟ କରି ଅନୁଷ୍ଠାନଟି ସମାଜରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛି।