ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗୁରୁଶ୍ରୀ ଦୁର୍ଗା ଚରଣ ରଣବୀରଙ୍କ ପ୍ରତିଷ୍ଠିତ ନୃତ୍ୟାୟନ ତା’ର ବାର୍ଷିକ ଶାସ୍ତ୍ରୀୟ ନୃତ୍ୟ ମହୋତ୍ସବ, “ମୀରା ନୃତ୍ୟ ମହୋତ୍ସବ” ର ଚତୁର୍ଥ ସଂସ୍କରଣ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଉଦଘାଟନ ହୋଇଛି l ମୀରା ନୃତ୍ୟ ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ପ୍ରତିଷ୍ଠାତା ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ସମେତ ମୁଖ୍ୟ ଅତିଥି ଭାବେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ, ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ଡଃ ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ସମ୍ମାନିତ ଅତିଥି ଭାବେ ଓଡିଶା ଷ୍ଟିଲ ଏବଂ ଖଣି ବିଭାଗ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଅରୁଣ କୁମାର ବେହେରାଙ୍କ ସମେତ ପୂର୍ବତଟ ରେଳ ବିଭାଗର ମୁଖ୍ୟ ଟ୍ରାଫିକ୍ ଯୋଜନା ପରିଚାଳକ ଶ୍ରୀଯୁକ୍ତ ଦିବଞ୍ଜନ ରୟ ପ୍ରମୁଖ ଯୋଗଦେଇଥିଲେ l ଆମନ୍ତ୍ରିତ ଅତିଥିଙ୍କ ଦ୍ୱାରା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମହୋତ୍ସବର ଶୁଭ ଉଦଘାଟନ କରାଯାଇଥିଲା l ନୃତ୍ୟାୟନ ଅନୁଷ୍ଠାନର ସଭାପତି ଇଂ ରାଧାଶ୍ୟାମ ପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l

କାର୍ଯ୍ୟକ୍ରମ ପ୍ରାରମ୍ଭରେ “ଗୁରୁ ଦୁର୍ଗା ଚରଣ ରଣବୀର ଜୀବନବ୍ୟାପୀ ସାଧନା ପୁରସ୍କାର” – ପ୍ରବୀଣ ଓଡ଼ିଶୀ ନୃତ୍ୟ ଶିଳ୍ପୀ, କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଶ୍ରୀମତୀ ଆଲୋକା କାନୁନଗୋଙ୍କୁ ପ୍ରଦାନ କରାଯାଇଥିଲା l ସେହିପରି “ଗୁରୁ ଦୁର୍ଗା ଚରଣ ରଣବୀର ଯୁବ ପୁରସ୍କାର” ପ୍ରଖ୍ୟାତ କୁଚିପୁଡି ନୃତ୍ୟଶିଳ୍ପୀ ଶ୍ରୀ ଅଭିଜିତ ଦାସଙ୍କୁ ପ୍ରଦାନ କରାଯାଇଥିଲା । ଦେଶର ପ୍ରଖ୍ୟାତ କଳାକାରମାନଙ୍କ ଦ୍ୱାରା ପ୍ରଥମ ସନ୍ଧ୍ୟାରେ ଅସାଧାରଣ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶିତ ହୋଇଥିଲା ଯାହା ଭାରତର ଶାସ୍ତ୍ରୀୟ ନୃତ୍ୟ ପରମ୍ପରାର ସମୃଦ୍ଧ ଐତିହ୍ୟ ଏବଂ ନିରନ୍ତର ବିବର୍ତ୍ତନକୁ ପାଳନ କରିଥିଲା l

ମୀରା ନୃତ୍ୟ ମହୋତ୍ସବ, ଓଡ଼ିଶାର ସାଂସ୍କୃତିକ କ୍ୟାଲେଣ୍ଡରରେ କ୍ରମାଗତ ଭାବରେ ଏକ ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମରେ ପରିଣତ ହୋଇଛି। ଓଡ଼ିଶୀ ଏହାର ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇ ରହିଥିବାବେଳେ, ଏହି ମହୋତ୍ସବରେ ଅନ୍ୟାନ୍ୟ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ମଧ୍ୟ ପ୍ରଦର୍ଶିତ ହୋଇଥାଏ, ଯାହାର ଉଦ୍ଦେଶ୍ୟ ହେଉଛି ଭାରତର ବିବିଧ ଶାସ୍ତ୍ରୀୟ ପରମ୍ପରା ମଧ୍ୟରେ ଆଲୋଚନାକୁ ପ୍ରୋତ୍ସାହିତ କରିବା ସହିତ ଓଡ଼ିଶୀର ପ୍ରଚାର ଏବଂ ପ୍ରସାର କରିବା l

ମହୋତ୍ସବର ପ୍ରଥମ ସନ୍ଧ୍ୟା ପ୍ରବୀଣ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏବଂ କେନ୍ଦ୍ରୀୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଶ୍ରୀମତୀ ଆଲୋକା କାନୁନଗୋଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ସହିତ ଆରମ୍ଭ ହୋଇଥିଲା । ଏହା ପରେ ଆୟୋଜକ ସଂଗଠନ ନୃତ୍ୟାୟନ ଦ୍ୱାରା ଚନ୍ଦ୍ରାଷ୍ଟକମ୍ ଉପରେ ଆଧାରିତ ଆଠଟି ଶ୍ଳୋକରେ ଚନ୍ଦ୍ର ଶୀର୍ଷକ – ଚନ୍ଦ୍ର ଦେବତାଙ୍କ ନିକଟରେ ଏକ ପ୍ରାର୍ଥନା ସହିତ ଏକ ଦଳଗତ ନୃତ୍ୟ ପ୍ରସ୍ତୁତି ପରିବେଷଣ ହୋଇଥିଲା ଯାହା ଉପସ୍ଥିତ ଦର୍ଶକଙ୍କ ପାଇଁ ଚିତାକର୍ଷକ ଥିଲା । ଏହି ପ୍ରସ୍ତୁତିକୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗୁରୁ ଦୁର୍ଗା ଚରଣ ରଣବୀର ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି l ପରେ ବାଙ୍ଗାଲୋରର ପ୍ରସିଦ୍ଧ କୁଚିପୁଡ଼ି ନୃତ୍ୟ ଶିଳ୍ପୀ ଏବଂ ଉସ୍ତାଦ ବିସମିଲ୍ଲା ଖାନ ଯୁବ ପ୍ରତିଭା ପୁରସ୍କାରପ୍ରାପ୍ତ ଶ୍ରୀ ଅଭିଜିତ ଦାସଙ୍କ ଦ୍ୱାରା ଏକକ କୁଚିପୁଡ଼ି ନୃତ୍ୟ ପରିବେଷଣ ହୋଇଥିଲା l

ଚତୁର୍ଥ ତଥା ଶେଷରେ ନୃତ୍ୟ ଦମ୍ପତି ଶ୍ରୀ ବିଜନ ପଲେଇ ଏବଂ ଶ୍ରୀମତୀ ସୌମ୍ୟା ସୁଚରିତା ପାଲଙ୍କ ଦ୍ୱାରା ଏକ ଯୁଗଳବନ୍ଦୀ ଓଡ଼ିଶୀ ପରିବେଷଣ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ଆମନ୍ତ୍ରିତ ଅତିଥିଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲା l ଉପସ୍ଥିତ ଦର୍ଶକ ତଥା ଛାତ୍ରଛାତ୍ରୀ ବେଶ ଉପଭୋଗ କରିବା ସହିତ ଶାସ୍ତ୍ରୀୟ ନୃତ୍ୟ ସମ୍ପର୍କରେ ଅନେକ ଶିକ୍ଷାଲାଭ କରିଥିଲେ l ୪ର୍ଥ ମୀରା ନୃତ୍ୟ ମହୋତ୍ସବକୁ ସାଫଲ୍ୟ କରିବା ପାଇଁ ଶ୍ରୀମତୀ ଆରତୀ ରଣବୀର, ଧୀରେନ୍ଦ୍ର ନାଥ ପଟ୍ଟନାୟକ, ଗାୟତ୍ରୀ ରଣବୀର, ସତ୍ୟଜିତ ମହାନ୍ତି, ଅସିତ ବସୁମଲ୍ଲିକ, ଅର୍ଜୁନ ମୁଦୁଲି, ଶେଷଦେବ ସାମଲ, ଅଜୟ ମହାପାତ୍ର ଏବଂ ଖଗେଶ୍ୱର ଜୟପୁରିଆ ପ୍ରମୁଖ କାର୍ଯ୍ୟକର୍ତ୍ତା ଭାବେ ପୂର୍ଣ୍ଣ ସହଯୋଗ କରିଥିଲେ l ବିଶ୍ୱଜିତ ବଳିୟାରସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l