ଗୋପାଳପୁର (ଆମ ଟିଭି): ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ରାଜନୀତି ସରଗରମ ହେବାରେ ଲାଗିଛି । ବିଶେଷକରି ଗୋପାଳପୁର ନିର୍ବାଚନମଣ୍ଡଳୀକୁ ପ୍ରଦୀପ ପାଣିଗ୍ରାହୀ ବନାମ ବିଜେଡି ମଧ୍ୟରେ ନେଇ ବଳ କଷାକଷି ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ନିଲମ୍ବିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗୋପାଳପୁରରେ ଜନସମ୍ପର୍କ ଯାତ୍ରା କରି ଲୋକଙ୍କ ସହ ଯୋଡି ହେଉଛନ୍ତି । ଆଉ ସେପଟେ ବିଜେଡି କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ । ଆଉ ଏହାର ନେତୃତ୍ୱ ନେଉଛନ୍ତି ଖୋଦ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ । ତେଣୁ ଆଗାମୀ ଦିନରେ ଗୋପାଳପୁରରେ ଗୋପବନ୍ଧୁ ଦାସଙ୍କୁ ଚେହେରା କରିବାକୁ ଏକ ପ୍ରକାର ସଙ୍କେତ ଦେଇଛି ବିଜେଡି ।
ପଂଚାୟତ ନିର୍ବାଚନଠାରୁ ଆରମ୍ଭ କରି ପୌର ନିର୍ବାଚନରେ ଗୋପାଳପୁରର ସବୁ ଦାୟିତ୍ୱ ନେଇଥିଲେ ଗୋପବନ୍ଧୁ ଦାସ । ସଙ୍ଗଠନ ଚଳାଇବା ଦାୟିତ୍ୱ ତାଙ୍କ ଉପରେ ରହିଥିଲା । ତେଣୁ ଏବେ ଗୋପବନ୍ଧୁଙ୍କୁ ଆଗକୁ ଆଣି ପ୍ରଦୀପ ପାଣିଗ୍ରାହୀଙ୍କୁ କଡା ଟକ୍କର ଦେବାକୁ ଚାହୁଁଛି ବିଜେଡି । ଭୁବନେଶ୍ୱର ପାର୍ଟି ଅଫିସରେ ଗୋପାଳପୁର ନିର୍ବାଚନମଣ୍ଡଳୀର ଅନେକ ବିଜେପି କର୍ମୀ ଓ ନେତା ବିଜେଡିରେ ସାମିଲ ହୋଇଛନ୍ତି । ତୃଣମୂଳ ସ୍ତରର ପ୍ରାୟ ୨ ଶହ ଛାମୁଆ ନେତା ପଦ୍ମଗଡ ଛାଡି ଶଂଖ ପୁଙ୍କିଛନ୍ତି । ସେପଟେ ନିଜ ନିର୍ବାଚନମଣ୍ଡଳୀରେ ଜନସମ୍ପର୍କ ଯାତ୍ରା କରି ଲୋକଙ୍କ ପାଖରେ ପଂହଚିବାକୁ ଉଦ୍ୟମ ଚଳାଇଛନ୍ତି ପ୍ରଦୀପ ପାଣିଗ୍ରାହୀ । ବିଭିନ୍ନ୍ ପଂଚାୟତ ଗସ୍ତ କରି ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଯାହା ଗୋପାଳପୁର ରାଜନୀତିକୁ ସରଗରମ କରିଛି ।