ହର୍ମୁଜ୍ ଖୋଲିଲା ଇରାନ: ଧନ୍ୟବାଦ ଜଣାଇଲେ ଡୋନାଲ୍ଡ ଟ୍ରମ୍ପ

0

ନୂଆଦିଲ୍ଲୀ: ଯୁଦ୍ଧବିରତି ପରେ ଇରାନ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି। ଇରାନ ଏବେ ସମସ୍ତ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବରେ ଖୋଲି ଦେଇଛି। ଇରାନର ଏହି ନିଷ୍ପତ୍ତି ଭାରତକୁ ଆଶ୍ୱସ୍ତି ଦେଇଛି। ଯୁଦ୍ଧ ଆରମ୍ଭ ହେବା ଦ୍ୱାରା ଭାରତକୁ ଏଲପିଜି ଗ୍ୟାସ ଏବଂ ପେଟ୍ରୋଲିୟମ ଉତ୍ପାଦ ଯୋଗାଣରେ ସଙ୍କଟ ସୃଷ୍ଟି ହୋଇଥିଲା, କିନ୍ତୁ ଏବେ ଏହି ସଙ୍କଟ ଟଳିବା ପରି ମନେ ହେଉଛି।

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଯୁଦ୍ଧବିରତି ଜାରି ରହିଛି, ସେପର୍ଯ୍ୟନ୍ତ ସମସ୍ତ ବାଣିଜ୍ୟିକ ଜାହାଜ କୌଣସି ବାଧା ବିନା ଏହି ରାସ୍ତା ଦେଇ ସୁରକ୍ଷିତ ଭାବରେ ପାର ହୋଇପାରିବ। ଇରାନର ଏହି ନିଷ୍ପତ୍ତି ଲେବାନନରେ ସମ୍ପ୍ରତି ଘୋଷିତ ୧୦ ଦିନିଆ ଅସ୍ତ୍ରବିରତି ପରେ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିଷ୍ପତ୍ତି ପାଇଁ ଇରାନକୁ ସ୍ୱାଗତ ଏବଂ ଧନ୍ୟବାଦ ଜଣାଇଛନ୍ତି।

ହରମୁଜ୍ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ମଧ୍ୟରୁ ଗୋଟିଏ। ବିଶ୍ୱ ତୈଳ ବାଣିଜ୍ୟର ଏକ ବଡ଼ ଅଂଶ ଏହା ଦେଇ ଗତି କରେ। ଇରାନର ଏହି ପଦକ୍ଷେପ ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ତୈଳ ଯୋଗାଣ ଶୃଙ୍ଖଳାକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏହା ବିଶ୍ୱ ବାଣିଜ୍ୟକୁ ମଜବୁତ କରିବ।

Leave A Reply

Your email address will not be published.