ବୁଣାକାରଙ୍କ କଥା କହିବ ‘ମେହେରମୁଣ୍ଡା’, ଏହି ଦିନ ରିଲିଜ
ବୁଣାକାରଙ୍କ ଜୀବନ ଓ ସଂଘର୍ଷକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ ମେହେରମୁଣ୍ଡା । ଚଳଚ୍ଚିତ୍ରରେ ୨୬ ଲକ୍ଷ ବୁଣାକାରଙ୍କ ଜୀବନ, ଜୀବିକା ଓ ସଂଘର୍ଷର କାହାଣୀକୁ ରୂପେଲି ପରଦାରେ ଆଣିବାକୁ ପ୍ରୟାସ କରାଯାଇଥିବା ବେଳେ ଚଳିତ ମାସ ୧୫ ତାରିଖରେ ମେହେର ମୁଣ୍ଡା ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା କହିଛି । ଏଥିରେ ୩ ଟି ଗୀତ ରହିଥିବା ବେଳେ ଘିର ଘିର ଘାଇ ଘାଇ ଘୁରୁଚି ଚରଖା କାହାଣୀ ଶୁଣାଏ ଆମ ନାଲିନେଳି ସୁତା ଗୀତଟି ବେଶ ଟ୍ରେଣ୍ଡରେ ରହିଛି ।
ଫିଲ୍ମର କାହାଣୀ
ଆମ ସଂସ୍କୃତି ଆମ ପରମ୍ପରାର ଝଲକ ସହ ପ୍ରସ୍ତୁତ ହେଉଥିବା ସୁନ୍ଦର ସୁନ୍ଦର ଶାଢ଼ୀ ପଛରେ ଥିବା ବୁଣାକାରମାନଙ୍କର ଶ୍ରମ, କାରିଗରୀ ଓ ସଂଘର୍ଷ ର କାହାଣୀକୁ ନେଇ ଏହି ଚଳଚିତ୍ର ପ୍ରସ୍ତୁତ ହେଉଥିବା ବେଳେ ସମ୍ପ୍ରତି ନିଜ ପରିଚୟ ପାଇଁ ବୁଣାକାରଟିଏ କିଭଳି ଯୁଦ୍ଧ କରେ ତାହାକୁ ନେଇ ଚଳଚିତ୍ର ଗତିଶୀଳ ହେଉଛି । ଦାଦନ କାହାଣୀ, ଭୋକଲା ଫର ଲୋକାଲ, ଡିଜିଟାଲ ବଜାର, ଆତ୍ମନିର୍ଭର ଭାରତ ଭଳି ଆମ ରାଜ୍ୟରେ ଚାଲୁଥିବା ବିଧି ବ୍ୟବସ୍ଥାକୁ ନେଇ ଜଣେ ବୁଣାକାର କଣ କରେ ତାର ଏକ ସୁନ୍ଦର ବାର୍ତ୍ତା ବି ଅଛି । ବିଶେଷ କରି କରୋନା ଭଳି ମହାମାରୀରେ ବୁଣାକାରଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ ସେ କିଭଳି ନିଜ ପରିଚୟ ନିଜ କରିପାରିଛି ଆଉ ସଫଳ ହୋଇଛି ତାହାହିଁ ଚିତ୍ରଣ କରାଯାଇଛି ।
ଫିଲ୍ମର ଷ୍ଟାରକାଷ୍ଟ
ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ଜ୍ୟୋତି ଓ ତାଙ୍କ ବିପକ୍ଷରେ ଅଛନ୍ତି ଅର୍ଲିନ ଅଙ୍କିତା । ଜ୍ୟୋତି ରଞ୍ଜନ ନାୟକଙ୍କୁ ଏଥିରେ ଏକ ଭିନ୍ନ ଧରଣର ଚରିତ୍ର ଅର୍ଥାତ ବୁଣାକାର ଭୂମିକାରେ ଦେଖିବାକୁ ମିଳିବ ।ଜିଆର ରେକର୍ଡସ ବ୍ୟାନରରେ ନିର୍ମିତ ‘ମେହେରମୁଣ୍ଡା’ ର ପ୍ରଯୋଜନା କରିଛନ୍ତି ରାକେଶ କୁମାର ପାଢୀ । ନିର୍ଦ୍ଦେଶନାର ଗୁରୁ ଦାଇତ୍ୱ ନିକୁଞ୍ଜ ହୋତା ଓ ସିନେମାଟୋଗ୍ରାଫିରେ ଶ୍ରୀକାନ୍ତ ପଟ୍ଟନାୟକ ରହିଛନ୍ତି । ସୂତାରେ ସୂତାରେ ସଙ୍ଗୀତର ମୂର୍ଚ୍ଛନା ଭରିଦେଇଛନ୍ତି ଅମିତ ଯୁବରାଜ ।