ଆଜି ବଙ୍ଗରେ ମୁଖ୍ୟମନ୍ତ୍ରୀ ଚୟନ, ଉପସ୍ଥିତ ରହିବେ ଅମିତ ଶାହ ଓ ମୋହନ ଚରଣ ମାଝୀ
କିଏ ହେବେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ? ଶୁଭେନ୍ଦୁ, ଦିଲ୍ଲୀପ ନା ଅଗ୍ନିମିତ୍ରା। କାହା ମୁଣ୍ଡରେ ହାତ ରଖିବେ ଶାହ? ଆଜି ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଜେପିର ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଚୂଡ଼ାନ୍ତ ହେବ । ଅପରାହ୍ନ ୩ଟାରେ ହେବ ବିଧାୟକ ଦଳ ବୈଠକ । କେନ୍ଦ୍ର ଗୃହ ମନ୍ତ୍ରୀ ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅମିତ୍ ଶାହ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ସହ-ପର୍ଯ୍ୟବେକ୍ଷକ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ ।
ବିଧାନସଭା ନିର୍ବାଚନରେ TMCକୁ କୁ ଧୂଳି ଚଟାଇ ପ୍ରାୟ ୨୦୭ ଆସନ ଜିତିବା ପରେ କଲିକତାରେ ବିଜେପି ବିଧାୟକ ଦଳର ବୈଠକ ବସୁଛି। ବଙ୍ଗଳାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ସାରା ଦେଶର ନଜର ରହିଛି । ନଜର ପକାଇବା ସିଏମ ରେସରେ ଥିବା ପ୍ରମୁଖ ଚେହେରାଙ୍କ ଉପରେ। ସିଏମ ରେସରେ ସବୁଠୁ ଆଗରେ ଅଛନ୍ତି ନନ୍ଦୀଗ୍ରାମର “ଜାଏଣ୍ଟ କିଲର୍” ଶୁଭେନ୍ଦୁ ଅଧିକାରୀ । ମମତା ବାନାର୍ଜୀଙ୍କୁ ଭବାନୀପୁରରେ ବଡ଼ ବ୍ୟବଧାନରେ ପରାସ୍ତ କରି ନିଜର ଶକ୍ତି ପ୍ରମାଣିତ କରିଛନ୍ତି। ତୃଣମୂଳ ସ୍ତରରେ ତାଙ୍କର ଦୃଢ଼ ପତିଆରା ଓ ଆକ୍ରମଣାତ୍ମକ ନେତୃତ୍ୱ ପାଇଁ ସେ ହାଇକମାଣ୍ଡଙ୍କ ପ୍ରଥମ ପସନ୍ଦ ହୋଇପାରନ୍ତି।
ସେହିପରି ମହିଳା ଚେହେରା ଅଗ୍ନିମିତ୍ରା ପଲ୍ ଓ ରୂପା ଗାଙ୍ଗୁଲି ନାଁ ବି ଚର୍ଚ୍ଚାରେ ରହିଛି। ମମତା ବାନାର୍ଜୀଙ୍କ ଲିଗାସିକୁ ଟକ୍କର ଦେବା ପାଇଁ ବିଜେପି ଜଣେ ମହିଳାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି। ଆସାନସୋଲ୍ ଦକ୍ଷିଣରୁ ବିପୁଳ ଭୋଟରେ ଜିତିଥିବା ଅଗ୍ନିମିତ୍ରା ଜଣେ ସଫଳ ଫ୍ୟାଶନ ଡିଜାଇନର ଓ ବିଜେପି ମହିଳା ମୋର୍ଚ୍ଚାର ବଡ଼ ନେତ୍ରୀ। ସେହିପରି ସୋନାରପୁର ଦକ୍ଷିଣରୁ ବିଜୟୀ ହୋଇଥିବା ରୂପାଙ୍କର ସାଂସ୍କୃତିକ ପରିଚୟ ଓ ସ୍ୱଚ୍ଛ ଭାବମୂର୍ତ୍ତି ତାଙ୍କୁ ଜଣେ ବଡ଼ ଦାବିଦାର ଭାବେ ଉଭା କରିଛି। ଶାମିକ ଭଟ୍ଟାଚାର୍ଯ୍ୟ ଓ ଦିଲ୍ଲୀପ ଘୋଷଙ୍କ ନାଁ ନେଇ ବି ଚର୍ଚ୍ଚା ଜୋର । ସାଂଗଠନିକ ଦକ୍ଷତା ପାଇଁ ରାଜ୍ୟ ସଭାପତି ଶାମିକ ଭଟ୍ଟାଚାର୍ଯ୍ୟ ଜଣେ ସୁରକ୍ଷିତ ବିକଳ୍ପ ହୋଇପାରନ୍ତି। ସେହିପରି ଦିଲ୍ଲୀପ ଘୋଷଙ୍କ ଜଙ୍ଗଲମହଲ ଓ ଖଡ଼ଗପୁର ଅଞ୍ଚଳରେ ଥିବା ସମର୍ଥନ ତାଙ୍କୁ ମଧ୍ୟ ଦୌଡ଼ରେ ରଖିଛି। ଆଜି ସନ୍ଧ୍ୟା ସୁଦ୍ଧା ନାମ ଘୋଷଣା ହେବାର ସମ୍ଭାବନା ଅଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ସମାରୋହ ହେବ।