ମୌସୁମୀ ଆଗମନକୁ ନେଇ ବଢ଼ିଲା ଅନିଶ୍ଚିତତା । ଜୁନ୍ ୧ ସୁଦ୍ଧା କେରଳ ଛୁଇଁବା ନେଇ ସଂଶୟ । ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଆଶଙ୍କା । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ନେଇ ବଡ଼ ଅନିଶ୍ଚିତତା ଦେଖାଦେଇଛି । ପୂର୍ବରୁ ମୌସୁମୀ ଶୀଘ୍ର ଆସିବ ବୋଲି ଆକଳନ କରାଯାଉଥିଲେ ମଧ୍ୟ ସାମୁଦ୍ରିକ ପବନ ଦୁର୍ବଳ କାରଣରୁ ଏହା ଏବେ ସ୍ବାଭାବିକ ସମୟ ଜୁନ୍ ୧ସୁଦ୍ଧା କେରଳ ଛୁଇଁବା ନେଇ ସଂଶୟ ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପାଣିପାଗ ସ୍ଥିତିରେ ଆଶାଜନକ ସୁଧାର ହୋଇନାହିଁ ।
ପାଣିପାଗ ବିଶେଷଜ୍ଞ ଏବଂ ଘରୋଇ ସଂସ୍ଥା ‘ସ୍କାଏମେଟ୍’ ର ରିପୋର୍ଟ ଅନୁଯାୟୀ, ମୌସୁମୀ ବିଳମ୍ବ ହେବା ପଛରେ କିଛି ମୁଖ୍ୟ କାରଣ ରହିଛି । ଆରବ ସାଗରରେ ବିଷୁବରେଖା ଅତିକ୍ରମ କରୁଥିବା ମୌସୁମୀ ପବନ ଯେତିକି ଶକ୍ତିଶାଳୀ ହେବା କଥା, ତାହା ହୋଇପାରି ନାହିଁ । ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ‘ଏଲ୍ ନିନୋ’ର ପ୍ରତିକୂଳ ପ୍ରଭାବ ଭାରତୀୟ ମୌସୁମୀ ଚକ୍ରକୁ ଦୁର୍ବଳ କରୁଛି ।
ସେହିପରି ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା କିଛି ପାଣିପାଗ ନିୟାମକ ଯୋଗୁଁ ପବନର ଗତିପଥ ପ୍ରଭାବିତ ହେଉଛି। ଚଳିତ ୨୦୨୬ ମୌସୁମୀ ଋତୁରେ ସ୍ବାଭାବିକ ଠାରୁ କମ୍ ଅର୍ଥାତ ପ୍ରାୟ ୯୨ ପ୍ରତିଶତ ବର୍ଷା ହେବ ବୋଲି IMD ଆକଳନ କରିଛି, ଯାହା କୃଷି କ୍ଷେତ୍ର ପାଇଁ ଚିନ୍ତା ବଢ଼ାଇ ଦେଇଛି। ମୌସୁମୀ ବାୟୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି । କିନ୍ତୁ କେରଳ ଉପକୂଳ ଆଡ଼କୁ ଏହାର ଗତି ସ୍ଥାଣୁ ହୋଇଯାଇଛି । କେରଳରେ ମୌସୁମୀର ଆଗମନ ଘୋଷଣା ପାଇଁ ଯେଉଁ ସବୁ ସର୍ତ୍ତ ଆବଶ୍ୟକ, ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ବର୍ତ୍ତମାନ କେରଳରେ ଯେଉଁ ବର୍ଷା ହେଉଛି, ତାହା ମୌସୁମୀ ପୂର୍ବ ବର୍ଷା ବୋଲି କୁହାଯାଉଛି । IMDର ଆକଳନ ଅନୁଯାୟୀ, ମୌସୁମୀ ଜୁନ୍ ୨ ରୁ ୪ ତାରିଖ ମଧ୍ୟରେ କେରଳ ଛୁଇଁପାରେ । ତେବେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ର ଆକଳନ ଅନୁଯାୟୀ, ସ୍ଥିତି ସୁଧୁରିବା ପାଇଁ ଜୁନ୍ ୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ମୌସୁମୀ ଆସିବାରେ ବିଳମ୍ବ ହେଲେ ଦେଶର ବିଶେଷ କରି ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଆହୁରି କିଛି ଦିନ ଲାଗି ରହିବ ।