ଆସନ୍ତା ୧୭ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା, ବଦଳିବ ମୋଦି ସରକାରଙ୍କ ରୂପରେଖ

0

ଆସନ୍ତା ୧୭ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା । ବଦଳିବ ମୋଦି ସରକାରଙ୍କ ରୂପରେଖ । ମନ୍ତ୍ରିମଣ୍ଡଳରୁ ପ୍ରାୟ ଏକ ଡଜନରୁ ଅଧିକ ମନ୍ତ୍ରୀ ବାଦ୍ ପଡ଼ି ପାରନ୍ତି । ପ୍ରାୟ ୧୫ ଜଣ ମନ୍ତ୍ରୀଙ୍କ ବିଭାଗରେ ପରିବର୍ତ୍ତନ ହୋଇପାରେ। ସାଧାରତଃ ତିଥି ଦେଖି ନିଷ୍ପତ୍ତି ନେଉଥିବା ବିଜେପି ସରକାର, ୧୭ ତାରିଖରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରି ପାରନ୍ତି । ଜୁନ ୧୫ରେ ମଳମାସ ଶେଷ ହେବ ଓ ୧୬ ତାରିଖରେ ପ୍ରତିପଦ। ତେଣୁ ୧୭ କିମ୍ବା ୧୮ ତାରିଖରେ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରି ପାରନ୍ତି କେନ୍ଦ୍ର ସରକାର। ପରିବର୍ତ୍ତନରେ ସହଯୋଗୀ ଦଳଙ୍କୁ ୪-୫ଟି ମନ୍ତ୍ରୀ ପଦ ମିଳିପାରେ । ଟିଡିପି, ଜେଡିୟୁ ଓ ଶିବସେନା (ସିନ୍ଦେ) ଦଳକୁ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ଏହାସହ ଆଗାମୀ ଦିନରେ ଯେଉଁ ରାଜ୍ୟଗୁଡିକରେ ବିଧାନସଭା ନିର୍ବାଚନ ରହିଛି, ସେହି ରାଜ୍ୟକୁ ଗୁରୁତ୍ବ ମିଳିପାରେ।

ତେଣୁ ଉତ୍ତରପ୍ରଦେଶ , ଉତ୍ତରାଖଣ୍ଡ, ଗୋଆ, ମଣିପୁର, ପଞ୍ଜାବ, ହିମାଚଳ ପ୍ରଦେଶ, ଗୁଜୁରାଟକୁ ମିଳିପାରେ ଗୁରୁତ୍ବ। ପଞ୍ଜାବରେ ବିଜେପି ଏକାକୀ ନିର୍ବାଚନ ଲଢିବାକୁ ଯୋଜନା କରୁଛି। ସେହି ଦୃଷ୍ଟିରୁ ଆପ୍ ଛାଡି ବିଜେପିରେ ମିଶିଥିବା ରାଘବ ଚଢା ଓ ତାଙ୍କ ସହଯୋଗୀଙ୍କୁ ମନ୍ତ୍ରିପରିଷଦରେ ସାମିଲ କରାଯିବାର ସମ୍ଭାବନା ରହିଛି। ଏହାସହ ୧୫ରୁ ଅଧିକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ସମ୍ଭାବନା ରହିଛି। କୃଷି, ଆଇନ, ପରିବେଶ, ଜଳଶକ୍ତି , ରେଳ, ଅର୍ଥ, କର୍ପୋରେଟ୍ ବ୍ୟାପାର, କୋଇଲା, ବୟନଶିଳ୍ପ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ, ଗ୍ରାମ୍ୟ ବିକାଶ ଓ ସାର ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ । କିଛି ବରିଷ୍ଠ ମନ୍ତ୍ରୀଙ୍କୁ ସରକାରରୁ ହଟାଇ ଦଳୀୟ ସଂଗଠନ ଦାୟିତ୍ବି ଦିଆଯିବା ସମ୍ଭାବନା ।

୨୦୨୯ ସାଧାରଣ ନିର୍ବାଚନ ଏବଂ ଉତ୍ତରପ୍ରଦେଶ ଓ ପଞ୍ଜାବ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯୁବ ଚେହେରା, ଆଞ୍ଚଳିକ ସନ୍ତୁଳନ ଏବଂ ସାମାଜିକ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଇ ସମ୍ପ୍ରସାରଣ କରି ପାରନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ତ୍ରିମଣ୍ଡଳ ପୁନର୍ଗଠନ ପୂର୍ବରୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗ୍ରାମୀଣ ବିକାଶ, ରସାୟନ ଓ ପେଟ୍ରୋକେମିକାଲ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂଆ ସଚିବ ନିଯୁକ୍ତ ହୋଇସାରିଛନ୍ତି । ନୂଆ ମନ୍ତ୍ରୀମାନେ ଦାୟିତ୍ୱ ନେବା ପୂର୍ବରୁ ପ୍ରଶାସନିକ ବ୍ୟବସ୍ଥାକୁ ମଜବୁତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.