ବନ୍ଦ ହେଲା ଲାଇଟ୍-ସାଉଣ୍ଡ; ବିନା ମାଇକ୍‌ରେ ଉଦବୋଧନ ଦେଲେ ସୁପରଷ୍ଟାର ଅନୁଭବ ମହାନ୍ତି

0

ଫିଲ୍ମ ପ୍ରମୋସନ ବେଳେ ପହଞ୍ଚିଲା ପୋଲିସ, ବନ୍ଦ ହେଲା ଲାଇଟ୍-ସାଉଣ୍ଡ; ବିନା ମାଇକ୍‌ରେ ଉଦବୋଧନ ଦେଲେ ଅନୁଭବ।ଆଗାମୀ ରଜ ଅବସରରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ଛକି ଶୂନ’ ର ଗୀତ ଉନ୍ମୋଚନ କାର୍ଯ୍ୟକ୍ରମ ସମୟରେ ଏକ ଅପ୍ରତ୍ୟାଶିତ ଘଟଣା ଦେଖିବାକୁ ମିଳିଛି। ବାଲେଶ୍ୱରର ଗାନ୍ଧି ସ୍ମୃତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ସମୟ ଅତିକ୍ରମ ହୋଇଯିବା ପରେ ପୋଲିସ ହସ୍ତକ୍ଷେପ କରି ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା ବନ୍ଦ କରିଦେଇଥିଲା।

ସୂଚନା ଅନୁସାରେ, କାର୍ଯ୍ୟକ୍ରମ ପାଇଁ ରାତି ୧୦ଟା ପର୍ଯ୍ୟନ୍ତ ଅନୁମତି ରହିଥିଲା। ତେବେ ଅଭିନେତା ଅନୁଭବ ମହାନ୍ତି ବିଳମ୍ବରେ ପହଞ୍ଚିବାରୁ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟ ସୀମା ଅତିକ୍ରମ କରିଥିଲା। ଏହାପରେ ସହଦେବଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଉଣ୍ଡ ଓ ଲାଇଟ୍ ବନ୍ଦ କରିଥିଲା।

ଏଭଳି ପରିସ୍ଥିତିରେ ଅନୁଭବ ମହାନ୍ତି ମଞ୍ଚରେ ଉପସ୍ଥିତ ଦର୍ଶକ ଓ ପ୍ରଶଂସକଙ୍କୁ ବିନା ମାଇକ୍‌ରେ ସମ୍ବୋଧନ କରିଥିଲେ। କାର୍ଯ୍ୟକ୍ରମରେ ତାଙ୍କ ସହଧର୍ମିଣୀ ଓ ଚଳଚ୍ଚିତ୍ରର ପ୍ରଯୋଜିକା ଜାଗୃତି ଶୁକ୍ଳାଙ୍କ ସହ ଅନ୍ୟାନ୍ୟ କଳାକାର ମଧ୍ୟ ଉପସ୍ଥିତ ଥିଲେ।

ଘଟଣା ସମ୍ପର୍କରେ ସହଦେବଖୁଣ୍ଟା ଥାନା ଆଇଆଇସି ଆଲୋକ ବେହେରା କହିଛନ୍ତି ଯେ, କାର୍ଯ୍ୟକ୍ରମ ପାଇଁ ଅନୁମତି ଥିଲେ ମଧ୍ୟ ରାତି ୧୦ଟା ସୁଦ୍ଧା ଏହା ଶେଷ କରିବାକୁ ନିର୍ଦ୍ଦେଶ ରହିଥିଲା। ଅତ୍ୟଧିକ ଭିଡ଼ ଓ ଶବ୍ଦ ପ୍ରଦୂଷଣ ସହ ନିର୍ଦ୍ଧାରିତ ସମୟ ଅତିକ୍ରମ ହୋଇଥିବାରୁ ପୋଲିସ ପକ୍ଷରୁ ନିୟମ ଅନୁଯାୟୀ ପଦକ୍ଷେପ ନିଆଯାଇଥିଲା। ଘଟଣା ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଉତ୍ତେଜନା ସୃଷ୍ଟି ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.