ପୁରୀ: ଠାକୁରଙ୍କ ଆଡ଼ପ ବିଜେ ପୂର୍ବରୁ ବିବାଦ । ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାର ୩ ଚୁଲି ଭାଙ୍ଗିଦେଲେ । ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଛି ତିନି ରଥ । ଆଜି ଅପରାହ୍ନରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ। ଏହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳା ଚୁଲି ଭଙ୍ଗି ଦିଆଯାଇଛି । ଦୁଇ ସେବାୟତଙ୍କ ମଧ୍ୟରେ ଚୁଲି ଭଙ୍ଗା ବିବାଦ ଏବେ କୁମ୍ଭାରପଡ଼ା ଥାନାରେ ପହଞ୍ଚିଛି । ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୋଗକାରୀ ନରସିଂହ ମହାପାତ୍ର ଏତଲାରେ ଉଲ୍ଲେଖ କରିଛନ୍ତି, ଶ୍ରୀମନ୍ଦିର ଭଳି ତାଙ୍କର ଶ୍ରୀଗୁଣ୍ଡିଚା ରୋଷଶାଳାରେ ୩ଟି ଚୁଲି ରହିଛି ।
ଗତ ୧୫ ତାରିଖ ସକାଳ ୯ଟାରେ ମାଟିମଣ୍ଡପ ସାହିର ରଘୁନାଥ ମହାପାତ୍ରଙ୍କ ସମେତ ୫ଜଣ ଗୁଣ୍ଡା ଖଣ୍ଡା ଓ ଭୁଜାଲି ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାରେ ପଶି ଉକ୍ତ ୩ଟି ଚୁଲିକୁ ଭଙ୍ଗାରୁଜା କରୁଥିଲେ। ଏହି ସମୟରେ ନରସିଂହ ଓ ତାଙ୍କ ସାନଭାଇ ବିଶ୍ଵନାଥ ପହଞ୍ଚି ଚୁଲି କ’ଣ ପାଇଁ ଭାଙ୍ଗୁଛ ବୋଲି ପ୍ରତିବାଦ କରିଥିଲେ । ଉଭ୍ୟକ୍ତ ହୋଇ ରଘୁନାଥ ଓ ଅନ୍ୟମାନେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ନରସିଂହ ଓ ରଘୁନାଥଙ୍କ ମଧ୍ୟରେ ମାରପିଟ୍ ଚାଲିଥିବା ବେଳେ ବିଶ୍ଵନାଥ ଚିତ୍କାର କରିବାରୁ ଘଟଣାସ୍ଥଳରେ ଅନ୍ୟ ସେବାୟତ ପହଞ୍ଚି ଯାଇଥିଲେ । ଫଳରେ ଆକ୍ରମଣକାରୀମାନେ ଚମ୍ପଟ ମାରିଥିଲେ ।