ୟୁଏଇରେ ମହିଳା ଏସିଆ କପ୍‌ ଟି୨୦ ; ସେପ୍ଟେମ୍ବର ୫ରେ ଭାରତ-ପାକ୍‌ ମୁକାବିଲା

0

ଦୁବାଇ : ଏସୀୟ କ୍ରିକେଟ ପରିଷଦ (ଏସିସି) ପକ୍ଷରୁ ଆୟୋଜନ ହେବାକୁ ଥିବା ମହିଳା ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ଗୁରୁବାର ଘୋଷଣା କରାଯାଇଛି। ମହିଳା ଏସିଆ କପ୍‌ ଅଗଷ୍ଟ ୨୮ରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୧୩ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟ୍ବେଣ୍ଟି୨୦ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ସେପ୍ଟେମ୍ବର ୫ରେ ଦୁବାଇରେ ଖେଳାଯିବ। ମହିଳା ଏସିଆ କପ୍‌ରେ ୮ଟି ଦଳ ଭାଗନେବେ। ସେମାନଙ୍କୁ ୨ଟି ଗ୍ରୁପ୍‌ରେ ରଖାଯାଇଛି।

ଗ୍ରୁପ୍ ‘ଏ’ରେ ଭାରତ ଓ ପାକିସ୍ତାନ ସହ ଥାଇଲାଣ୍ଡ ଓ ହଂକଂ ରହିଛନ୍ତି। ଗ୍ରୁପ୍ ‘ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ୟୁଏଇ ଓ ଇଣ୍ଡୋନେସିଆ ରହିଛନ୍ତି। ଭାରତ ୭ ଥର ମହିଳା ଏସିଆ କପ୍‌ ଜିତିଛି। ହେଲେ ପାକିସ୍ତାନ ଥରେ ମାତ୍ର ଏହି ଟୁର୍ଣ୍ଣାମେଣ୍ଟ ଜିତି ପାରିନାହିଁ। ୨୦୧୨ରେ ଓ ୨୦୧୬ରେ ଭାରତ ବିପକ୍ଷରେ ପାକିସ୍ତାନ ଫାଇନାଲ ଖେଳି ପରାସ୍ତ ହୋଇଥିଲା। ଅଗଷ୍ଟ ୩୦ରେ ଥାଇଲାଣ୍ଡ ବିପକ୍ଷରେ ଖେଳି ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ପରେ ହରମନପ୍ରୀତ କୌରଙ୍କ ଦଳ ସେପ୍ଟେମ୍ବର ୩ରେ ହଂକଂ ଓ ୫​‌େ​‌ର ପାକିସ୍ତାନ ବିପକ୍ଷରେ ଲିଗ୍‌ ମ୍ୟାଚ୍‌ ଖେଳିବ। ଉଭୟ ଗ୍ରୁପ୍‌ର ପ୍ରଥମ ୨ଟି ସ୍ଥାନରେ ଥିବା ଦଳ ସେପ୍ଟେମ୍ବର ୧୦ ଓ ୧୧ରେ ସେମିଫାଇନାଲ ଖେଳିବେ।

Leave A Reply

Your email address will not be published.