ନୂଆଦିଲ୍ଲୀ : ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ଗ୍ରୁପ ଟାଟା ଗ୍ରୁପରେ ପରିବର୍ତ୍ତନ ହେବାକୁ ଯାଉଛି । ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଏନ୍. ଚନ୍ଦ୍ରଶେଖରନ । ତାଙ୍କ ଇସ୍ତଫା ଲାଗୁ ହୋଇନାହିଁ । ଫେବ୍ରୁଆରୀ ୨୦୨୭ ଯାଏଁ କାର୍ଯ୍ୟକାଳ ପୂରା କରିବେ । ହେଲେ ଆଉ ପୁଣି ଦାୟିତ୍ୱ ନେବେନି ।
ଟାଟା ସନ୍ସର ଅଧ୍ୟକ୍ଷ ଏନ୍. ଚନ୍ଦ୍ରଶେଖରନ ନିଜ ପଦରୁ ହଟିବା ନେଇ ବୋର୍ଡକୁ ଜଣାଇଥିବା ରିପୋର୍ଟ ଆସିଛି । ତେବେ ସେ ତୁରନ୍ତ ପଦ ଛାଡ଼ୁନାହାନ୍ତି । ଫେବ୍ରୁଆରୀ ୨୦୨୭ରେ ତାଙ୍କ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ସେ ଦାୟିତ୍ୱରେ ରହିବେ, କିନ୍ତୁ ଆଉ ଏକ କାର୍ଯ୍ୟକାଳ ପାଇଁ ନିଜକୁ ଉପଲବ୍ଧ କରାଇବେ ନାହିଁ । ଏପର୍ଯ୍ୟନ୍ତ ତାଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା ହୋଇନାହିଁ । ଏହି ଘଟଣାର ସମୟକୁ ନେଇ କର୍ପୋରେଟ୍ ଜଗତରେ ଚର୍ଚ୍ଚା ବଢ଼ିଛି ।
ଆସନ୍ତା ଅଗଷ୍ଟ ୧୮ରେ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ବା AGM ହେବାକୁ ଯାଉଛି । ଏହାର ମାତ୍ର କିଛି ଦିନ ପୂର୍ବରୁ ଚନ୍ଦ୍ରଶେଖରନଙ୍କ ଏଭଳି ନିଷ୍ପତ୍ତି ଖବର ସାମ୍ନାକୁ ଆସିଛି । ରତନ ଟାଟାଙ୍କ ପରଲୋକ ପରେ ଟାଟା ସନ୍ସ ଓ ଟାଟା ଟ୍ରଷ୍ଟସ୍ ମଧ୍ୟରେ କେତେକ ପ୍ରସଙ୍ଗକୁ ନେଇ ମତଭେଦ ଚର୍ଚ୍ଚାରେ ରହିଆସିଛି । ଗ୍ରୁପ୍ ର ନୂଆ ବ୍ୟବସାୟରେ ବଡ଼ ପୁଞ୍ଜିନିବେଶ, ଭବିଷ୍ୟତ ରଣନୀତି, ବୋର୍ଡରେ ପ୍ରତିନିଧିତ୍ୱ ଏବଂ ଟାଟା ସନ୍ସର ଭବିଷ୍ୟତ ଢାଞ୍ଚାକୁ ନେଇ ଆଭ୍ୟନ୍ତରୀଣ ମତପାର୍ଥକ୍ୟ ଥିବା କୁହାଯାଉଛି ।
୬୩ ବର୍ଷୀୟ ଚନ୍ଦ୍ରଶେଖରନଙ୍କ ଟାଟା ଗ୍ରୁପ୍ ସହ ପ୍ରାୟ ଚାରି ଦଶନ୍ଧିର ସମ୍ପର୍କ । ୧୯୮୭ରେ ସେ ଟାଟା ଗ୍ରୁପରେ ଯୋଗ ଦେଇଥିଲେ । ପରେ TCSର CEO ହୋଇଥିଲେ ଏବଂ ୨୦୧୭ରେ ଟାଟା ସନ୍ସର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ । ତାଙ୍କ ସମୟରେ ଟାଟା ଗ୍ରୁପ୍ ଏୟାରଲାଇନ୍ସ, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି, ଡିଜିଟାଲ୍ ବ୍ୟବସାୟ ଏବଂ ଇଲେକ୍ଟ୍ରିକ୍ ଭେହିକିଲ୍ କ୍ଷେତ୍ରରେ ବଡ଼ ଧରଣର ସମ୍ପ୍ରସାରଣ କରିଛି ।
ତେବେ ଏଭଳି ଖବର ସାମ୍ନାକୁ ଆସିବା ପରେ ଶେୟାର ବଜାରରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । TCS ସମେତ କେତେକ ଟାଟା ଗ୍ରୁପ୍ କମ୍ପାନୀର ଶେୟାର ଦର ହ୍ରାସ ପାଇଛି । କିଛି ଟାଟା ଗ୍ରୁପ୍ ଷ୍ଟକ୍ ପ୍ରାୟ ୪ ପ୍ରତିଶତ ପର୍ଯ୍ୟନ୍ତ ଖସିଥିବା ରିପୋର୍ଟ ହୋଇଛି । ନେତୃତ୍ୱ ପରିବର୍ତ୍ତନ ଏବଂ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବେ, ତାହାକୁ ନେଇ ନିବେଶକଙ୍କ ମଧ୍ୟରେ ଅନିଶ୍ଚିତତା ଏହାର ଏକ କାରଣ ବୋଲି ଦେଖାଯାଉଛି ।