ନୂଆଦିଲ୍ଲୀ: ଜୁନ୍ 2026ରେ ଅନୁଷ୍ଠିତ ହୋଇଥିବା UGC NET ପରୀକ୍ଷା ପୁନଃ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି । ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର (Sociology)ପାଇଁ ପୁଣିଥରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ତିନୋଟି ବିଷୟର ପ୍ରଶ୍ନପତ୍ରରେ ଗୁରୁତର ତ୍ରୁଟି ମିଳିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଏହି ନିଷ୍ପତ୍ତି ନେଇଛି । ଏହି ବିଷୟଗୁଡ଼ିକର ପରୀକ୍ଷାର୍ଥୀମାନଙ୍କୁ ପୁନଃ ପରୀକ୍ଷା ପାଇଁ କୌଣସି ଅତିରିକ୍ତ ଫି’ ନିଆଯିବ ନାହିଁ । NTA, UGC NET ଜୁନ୍ 2026 ପରୀକ୍ଷା 22ରୁ 30 ଜୁନ୍ ମଧ୍ୟରେ 87ଟି ବିଷୟ ପାଇଁ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା ଜୁନିଅର ରିସର୍ଚ୍ଚ ଫେଲୋସିପ୍ (JRF), ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ଯୋଗ୍ୟତା ଏବଂ ପିଏଚଡି ପ୍ରୋଗ୍ରାମରେ ପ୍ରବେଶ ପାଇଁ ଅନୁଷ୍ଠିତ ହୋଇଥିଲା ।
NTA ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, “ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ଭଳି ତିନୋଟି ବିଷୟ ସମ୍ପର୍କରେ, NTA ଏହି ପତ୍ରଗୁଡ଼ିକରେ ଅନେକ ତ୍ରୁଟି ବିଷୟରେ ଅଭିଯୋଗ ପାଇଥିଲା । ତଦନୁସାରେ, NTA ଏହି ତ୍ରୁଟିଗୁଡ଼ିକର ତଦନ୍ତ ଏବଂ ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରିଥିଲା ।” NTA ଅନୁଯାୟୀ, ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ପତ୍ରରେ ତଥ୍ୟଗତ, ଟାଇପୋଗ୍ରାଫିକାଲ୍, ଅନୁବାଦ ଏବଂ ବ୍ୟାକରଣଗତ ତ୍ରୁଟି ମିଳିଥିଲା । ଏହା ବ୍ୟତୀତ, କିଛି ପ୍ରଶ୍ନର ଭାଷାରେ ତ୍ରୁଟି, ବିଦ୍ୱାନ ନାମ ଏବଂ ପୁସ୍ତକ ଶୀର୍ଷକଗୁଡ଼ିକର ଭୁଲ ବନାନ, ଏକାଧିକ ପ୍ରଶ୍ନ ପୁନରାବୃତ୍ତି ହେବା, ବିରାମ ଚିହ୍ନ ତ୍ରୁଟି ଏବଂ ପ୍ରଚଳିତ ଧାରଣା ପାଇଁ ନନ୍ ଷ୍ଟାଣ୍ଡାର୍ଡ ଟର୍ମ ବ୍ୟବହାର କରାଯାଇଥିବା ଭଳି ତ୍ରୁଟି ମଧ୍ୟ ସାମ୍ନାକୁ ଆସିଥିଲା । ଏହି କାରଣରୁ NTA ଏହି ତିନୋଟି ବିଷୟ ପାଇଁ UGC NET ପରୀକ୍ଷା ପୁନଃ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛି ।
ପୁନଃପରୀକ୍ଷା କେବେ ଅନୁଷ୍ଠିତ ହେବ?
- ଇଂରାଜୀ: 9 ସେପ୍ଟେମ୍ବର, ସକାଳ 9.00ରୁ ମଧ୍ୟାହ୍ନ 12.00
- ବାଣିଜ୍ୟ: 9 ସେପ୍ଟେମ୍ବର, ଅପରାହ୍ନ 3ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ
- ସମାଜଶାସ୍ତ୍ର: ସେପ୍ଟେମ୍ବର 10, ସକାଳ 9ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ
ପରୀକ୍ଷା କେନ୍ଦ୍ର, ସହର ଏବଂ ଆଡମିଟ୍ କାର୍ଡ ସମ୍ବନ୍ଧୀୟ ସୂଚନା ପରୀକ୍ଷାର୍ଥୀମାନଙ୍କୁ ସରକାରୀ ୱେବସାଇଟରେ ପୃଥକ ଭାବରେ ଦିଆଯିବ ।
NTA Answer-key ପ୍ରକାଶ କରିଛି:
ରବିବାର ସକାଳେ, NTA 87 UGC-NET ବିଷୟ ମଧ୍ୟରୁ 84ଟି ପାଇଁ ପ୍ରୋଭିଜନାଲ ଆନ୍ସର-କି ପ୍ରକାଶ କରିଛି । ଏହି ତିନୋଟି ବିଷୟର Answer-key ପ୍ରକାଶ କରାଯାଇ ନାହିଁ ।
NTA କିଛି ସମୟ ଧରି ବିବାଦରେ ଫସି ରହିଛି:
ଚଳିତ ବର୍ଷ ମେ’ 3 ତାରିଖରେ ଅନୁଷ୍ଠିତ NEET-UG ପରୀକ୍ଷା ମଧ୍ୟ ଲିକ୍ ହୋଇଯାଇଥିଲା, ଯାହା ଫଳରେ ଏଜେନ୍ସି ଜୁନ 21 ତାରିଖରେ ପୁନଃପରୀକ୍ଷା କରିବାକୁ ବାଧ୍ୟ ହୋଇଥିଲା ।