ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୯ ବାଂଲାଦେଶୀ ମୃତ

0

କୋଲକାତାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟରେ ଅବସ୍ଥିତ ଏକ ହୋଟେଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ଯେଉଁଥିରେ ୯ ଜଣ ବାଂଲାଦେଶୀଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, କୋଲକାତାର ନ୍ୟୁ ମାର୍କେଟ୍ ନିକଟରେ ଥିବା ‘ହୋଟେଲ ତାଇବା’ରେ ଆଜି ବିଳମ୍ବିତ ରାତି ପ୍ରାୟ ୨ଟାରେ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ହୋଟେଲରେ ଥିବା ଅଧିକାଂଶ ଲୋକ ବାଂଲାଦେଶର ସୀମାନ୍ତ ଅଞ୍ଚଳର ବାସିନ୍ଦା ଥିଲେ ଏବଂ ଚିକିତ୍ସା ପାଇଁ ବାଂଲାଦେଶରୁ କୋଲକାତା ଆସିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ୩ ଟା ପରେ ଘଟଣାସ୍ଥଳରୁ ୯ ଜଣଙ୍କୁ ଉଦ୍ଧାର କରାଯାଇ କଲିକତା ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ହସ୍ପିଟାଲରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

ଅନ୍ୟପଟେ ଧୂଆଁରେ ଅଣନିଃଶ୍ବାସୀ ହୋଇ ଅନେକ ଲୋକ ଅଚେତ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ହୋଟେଲ ଭିତରୁ ପ୍ରାୟ ୨୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ହୋଟେଲର ସଂକୀର୍ଣ୍ଣ ପାହାଚ ଏବଂ କୋଠରୀଗୁଡ଼ିକ ଧୂଆଁରେ ଭର୍ତ୍ତି ହୋଇ ଯିବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହୋଇଥିଲା । ଅତି କମରେ ଦୁଇ ଘଣ୍ଟାର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଏପର୍ଯ୍ୟନ୍ତ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ହେଲେ ଏସି ବିସ୍ଫୋରଣ ଯୋଗୁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.