ଶୁଖିଯିବ ପ୍ରଶାନ୍ତ-ଆଟଲାଣ୍ଟିକ୍ ମହାସାଗର

0

ପୃଥିବୀରେ ଥିବା ସମସ୍ତ ମହାଦେଶ ଦିନେ ପୁଣି ଥରେ ଏକାଠି ହୋଇ ଗୋଟିଏ ଭୂଖଣ୍ଡ ହେବ। ଏଥିରୁ ସୃଷ୍ଟି ହେବ ନୂତନ ସୁପରକଣ୍ଟିନେଣ୍ଟ। ଯେଉଁ ପ୍ରାଚୀନ ସୁପରକଣ୍ଟିନେଣ୍ଟ ପାନଜିଆରୁ ମହାଦେଶଗୁଡ଼ିକ ଅଲଗା ହୋଇଥିଲା ଆଗକୁ ମହାଦେଶଗୁଡ଼ିକ ସେହି ପାନଜିଆ ଅବସ୍ଥାକୁ ଫେରିବେ । ଏହାଦ୍ୱାରା ଜଳବାୟୁରେ ବିରାଟ ପରିବର୍ତ୍ତନ ଆସିବ। ଅତ୍ୟଧିକ ତାତି ଯୋଗୁ ମଣିଷ ସମେତ ସମସ୍ତ ସ୍ତନ୍ୟପାୟୀ ପ୍ରାଣୀଙ୍କ ବିନାଶ ହେବ ବୋଲି ଅଧ୍ୟୟନରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।

ଅଧ୍ୟୟନ ମୁତାବକ, ପୃଥିବୀରେ ଏକମାତ୍ର ଭୂଭାଗ ଥୁବା ପାନଜିଆ ୨୦ କୋଟି ବର୍ଷ ପୂର୍ବେ ଅଲଗା ହେବା ଆରମ୍ଭ କରିଥିଲା । ସମାନ ସମୟ ପରେ ଅର୍ଥାତ ପ୍ରାୟ ୨୦ କୋଟି ବର୍ଷ ଭିତରେ ପୁଣି ଏହା ଏକତ୍ର ହେବ। ‘ଜିଓଲୋଜିକାଲ ମାଗାଜିନ୍’ରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରେ ଏପରି ହେବାର ୪ଟି ଉପାୟ ଉପରେ ଆଲୋକପାତ ହୋଇଛି। ପ୍ରଥମଟି ହେଲା ନୋଭୋପାଞ୍ଜିଆ। ଏହି ପ୍ରକ୍ରିୟାରେ ପ୍ରଶାନ୍ତ ମହାସାଗର ବନ୍ଦ ହୋଇଯିବ ଏବଂ ଆଟଲାଣ୍ଟିକ ମହାସାଗର ପ୍ରସାରିତ ହେବ। ପୂର୍ବ ଏସିଆ ଏବଂ ଆଣ୍ଟାର୍କଟିକା ସହ ଆମେରିକା ଧକ୍କା ହେବ। ଫଳରେ ଏକ ଭୂଭାଗ ସୃଷ୍ଟି ହେବ, ଯାହା କି ମୁଖ୍ୟତଃ ଉତ୍ତର ଗୋଲାର୍ଧରେ କେନ୍ଦ୍ରୀଭୂତ ହେବ। ବିଷୁବରେଖା ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକ ଗରମ ଏବଂ ଶୁଷ୍କ ରହିବ। ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । କିନ୍ତୁ ଭୂଭାଗର ଆଭ୍ୟନ୍ତରୀଣ ଅଂଶ ମୁଖ୍ୟତଃ ଶୁଷ୍କ ରହିବ । ଭୂଭାଗଟି ଶୀତଳ ଅକ୍ଷାଂଶ ଆଡ଼କୁ ବ୍ୟାପିବା ଫଳରେ ମଧ୍ୟମ ଧରଣର ବୈଶ୍ୱିକ ମହାସାଗରୀୟ ପ୍ରବାହ ଏବଂ ମେରୁରେ ବରଫ ଗତିଶୀଳତା ଜାରି ରହିବ।

ଦ୍ଵିତୀୟଟି ହେଉଛି ଅରିକା। ଏଥିରେ ପ୍ରଶାନ୍ତ ମହାସାଗର ଏବଂ ଆଟଲାଣ୍ଟିକ୍ ମହାସାଗରର ଅସ୍ତିତ୍ବ ରହିବନି। ଫଳରେ ‘ଅରିକା’ ସୁପରକଣ୍ଟିନେଣ୍ଟ ସୃଷ୍ଟି ହେବ । ସବୁ ମହାଦେଶ ମିଶି ବିଷୁବରେଖା ଚାରିପାଖରେ ଏକ ବଳୟ ଆକାରରେ ପୃଥିବୀର ଭୂଭାଗଗୁଡ଼ିକୁ ପୁନଃ ସଙ୍ଗଠିତ କରିବେ । ମହାଦେଶଟି ବିଷୁବରେଖା ନିକଟରେ ହେବାକୁ ଥିବାରୁ ଏହା ଆଜିର ପୃଥିବୀ ଅପେକ୍ଷା ଅଧିକ ଗରମ ଏବଂ ଶୁଷ୍କ ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।

ତୃତୀୟଟି ଆମସିଆ। ଏହି ପରିସ୍ଥିତିରେ ଆର୍କଟିକ୍ ମହାସାଗର ବନ୍ଦ ହୋଇଯିବ ଏବଂ ଆଣ୍ଟାର୍କଟିକା ବ୍ୟତୀତ ସମସ୍ତ ମହାଦେଶ ଉତ୍ତର ମେରୁ ଆଡ଼କୁ ଗତି କରିବେ। ଉତ୍ତର ଦିଗରେ ପ୍ରତ୍ୟେକ ଭୂଭାଗ ରହିବ ଏବଂ ଆଣ୍ଟାର୍କଟିକାକୁ ବାଦ୍ ଦେଲେ ଦକ୍ଷିଣ ଗୋଲାର୍ଦ୍ଧ କେବଳ ଏକ ବିସ୍ତୃତ ମହାସାଗର ପାଲଟିବ। ମଧ୍ୟଭାଗରେ କୌଣ ଭୂଭାଗ ନ ଥିବାରୁ ମହାସାଗରୀୟ କନଭୟର ବେଲ୍ଟ ଯାହା କି ବିଷୁବ ମେରୁକୁ ତାପ ସ୍ଥାନାନ୍ତର କରେ, ତାହା ବାଧାପ୍ରାପ୍ତ ହେବ। ମେରୁଗୁଡ଼ିକ ଅଧିକ ଥଣ୍ଡା ହୋଇଯିବ ଏବଂ ବର୍ଷସାରା ବରଫରେ ଆଚ୍ଛାଦିତ ରହିବ।

Leave A Reply

Your email address will not be published.