୨ ଆସନରେ ଉପନିର୍ବାଚନ: ମମତା ଗୋଷ୍ଠୀଙ୍କ ନୂଆ ଚିହ୍ନ ‘ଫୁଟବଲ୍ ଖେଳାଳି’ ଉନ୍ମୋଚିତ

0

କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଭାଜନ ପରେ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ମମତା ବାନାର୍ଜୀଙ୍କ ଗୋଷ୍ଠୀ ସେମାନଙ୍କ ନୂଆ ଦଳ ‘ମମତା ଟିଏମ୍‌ସି’ର ଅସ୍ଥାୟୀ ନିର୍ବାଚନୀ ଚିହ୍ନ ‘ଫୁଟବଲ୍ ଖେଳୁଥିବା ଖେଳାଳି’ ଉନ୍ମୋଚନ କରିଛନ୍ତି। ଗୋଷ୍ଠୀ କନ୍ଦଳ ପରେ ଗତ ସେପ୍ଟେମ୍ବର ୧୭ରେ ନିର୍ବାଚନ ଆୟୋଗ ଟିଏମ୍‌ସିର ମୂଳ ନାମ ଏବଂ ‘ଦୁଇଟି ଫୁଲ-ଘାସ’ ସିମ୍ବଲକୁ ସ୍ଥଗିତ (ଫ୍ରିଜ୍) ରଖିବା ସହ ଉଭୟ ଦଳକୁ ନୂଆ ନାମ ଓ ଚିହ୍ନ ଆବଣ୍ଟନ କରିଥିଲେ। ଏହା ପରେ ମମତା ଏବଂ ଅରୂପ ରୟଙ୍କ ଗୋଷ୍ଠୀ ନୂଆ ପରିଚୟ ମିଳିଥିଲା। ଅରୂପଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ଟିଏମ୍‌ସି’ ଏବଂ ‘ଲଫାପା’ ସିମ୍ବଲ୍ ଦିଆଯାଇଥିବା ବେଳେ ମମତାଙ୍କ ଗୋଷ୍ଠୀକୁ ମମତା ଟିଏମ୍‌ସି’ର ନାମ ତଥା ଫୁଟ୍‌ବଲ୍ ଖେଳୁଥିବା ଖେଳାଳି’ ସିମ୍ବଲ ମିଳିଛି।

ପ୍ରକାଶ, ଏହି ନୂଆ ନାମ ଏବଂ ନୂଆ ଦଳୀୟ ଚିହ୍ନ ସହ ଉଭୟ ଗୋଷ୍ଠୀ ଅକ୍ଟୋବର ୬ରେ ନନ୍ଦୀଗ୍ରାମ ଏବଂ ରେଜିନଗର ଉପନିର୍ବାଚନ ସହିତ ଲଢିବେ। ଟିଏମ୍‌ସିର ମୂଳ ନାମ ଏବଂ ମୂଳ ନିର୍ବାଚନୀ ଚିହ୍ନ ଉପରେ ପରବର୍ତ୍ତୀ ସମୟରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଅବଶ୍ୟ ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତିକୁ ମମତା ବାନାର୍ଜୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିସାରିଛନ୍ତି। ସୁପ୍ରିମ୍ କୋର୍ଟ ମଧ୍ୟ ସୋମବାର ତାଙ୍କ ଆବେଦନ ଉପରେ ତୁରନ୍ତ ଶୁଣାଣିର ତାରିଖ ସ୍ଥିର କରିବାକୁ ସମ୍ମତି ଜଣାଇଛନ୍ତି। ବିରୋଧୀ ପକ୍ଷକୁ ମଧ୍ୟ ନିଜର ଯୁକ୍ତି ରଖିବାର ସୁଯୋଗ ମିଳିବ।

Leave A Reply

Your email address will not be published.