ନବ ନିର୍ମାଣ ଛାତ୍ର କୃଷକ ସଂଘର ୧୨ ଘଣ୍ଟିଆ ବନ୍ଦ ପାଳନ, କେଉଁଠି ଢିଲା ତ ଆଉ କେଉଁଠି ଟାଇଟ୍

0

କେଉଁଠି ଖୋଲା ଢିଲା ତ ଆଉ କେଉଁଠି ଟାଇଟ୍ । ଏଭଳି ଭାବେ ୧୨ ଘଣ୍ଟିଆ ବନ୍ଦ ପାଳନ କଲା ନବ ନିର୍ମାଣ ଛାତ୍ର କୃଷକ ସଂଘ । ନବ ନିର୍ମାଣ ଛାତ୍ର କୃଷକ ସଙ୍ଘର କର୍ମକର୍ତ୍ତା ଆଜି ସକାଳ ୭ ଟା ବେଳେ ପ୍ରଥମେ ବରମୁଣ୍ଡା ବସଷ୍ଟାଣ୍ଡ ମୁଖ୍ୟ ଗେଟ୍ ସାମ୍ନାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ପରେ ସେଠାରୁ ପିକେଟିଂ କରି ବରମୁଣ୍ଡା ଫୁଟ ଓଭର ବ୍ରିଜ ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଚାହୁଁ ଚାହୁଁ ଖଣ୍ଡଗିରି ଯାଏ ଗାଡ଼ି ଲମ୍ବି ଯାଇଥିଲା । ଆମ୍ବୁଲାନ୍ସ ଫସି ଯାଇଥିଲା । ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀ ବି ଜାମ୍ ରେ ଫସି ରହିଲେ । ସେଠାରେ ଚୋକ୍ଲେଟ ବାଣ୍ଟି ବନ୍ଦକୁ ସମର୍ଥନ ଦେବା ପାଇଁ ଅପିଲ କରିଥିଲେ । ଜାତୀୟ ରାଜପଥ ପରେ ମାଷ୍ଟର କ୍ୟାଣ୍ଟନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ନେତା ଓ କର୍ମୀ । କିନ୍ତୁ ପୋଲିସ୍ ବେଶୀ ସମୟ ପ୍ରତିବାଦ କରିବା ପାଇଁ ଅନୁମତି ଦେଇ ନଥିଲା । କମିଶନରେଟ ପୋଲିସ୍ ନବ ନିର୍ମାଣ ଛାତ୍ର କୃଷକ ସଂଗଠନ ସଭାପତି ଏମଡି ଅନ୍ୱର୍ ଅଲି ଓ ତାଙ୍କ ସମର୍ଥକଙ୍କୁ ଗିରଫ କରିଥିଲା ।

ଆଜି ଓଡ଼ିଶା ବନ୍ଦକୁ କଂଗ୍ରେସ ଓ ଅନ୍ୟ ବାମପନ୍ଥୀ ଦଳ ଗୁଡ଼ିକ ପକ୍ଷରୁ ନୈତିକ ସମର୍ଥନ ମିଳିଥିବା କହିଛନ୍ତି ଦଳର ମୁଖିଆ ଅକ୍ଷୟ କୁମାର। ସେପଟେ ବନ୍ଦ ବନ୍ଦ୍ ର ପ୍ରଭାବ ସହରରେ ବିଶେଷ ନାହିଁ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ବନ୍ଦ୍ ସତ୍ତ୍ୱେ ସ୍ୱାଭାବିକ ରହିଥିଲା ସ୍ଥିତି । ପରିସ୍ଥିତିକୁ ନଜରରେ ରଖି ସବୁଠି ପୋଲିସ ଫୋର୍ସ ମୁତୟନ କରାଯାଇଥିବା କହିଥିଲେ ଡିସିପି । ଲୋକସେବା ଭବନ ଓ ଓଡ଼ିଶା ବିଧାନସଭାକୁ ଯାଇଥିବା ରାସ୍ତାରେ ବ୍ୟାରିକେଡ଼ ଲଗାଇଥିଲା କମିଶନରେଟ ପୋଲିସ୍ । କେବଳ ପାସ କିମ୍ବା ଆଇକାର୍ଡ ଥିବା ସରକାରୀ କର୍ମଚାରୀଙ୍କୁ ଭିତରକୁ ଅନୁମତି ଦିଆଯାଇଥିଲା । ଦିନ ୧୨ ଟା ବେଳକୁ ଯାତାୟାତ ସ୍ୱାଭାବିକ ହୋଇଯାଇଥିଲା । ସକାଳୁ କୌଣସି ସ୍ଥାନରେ କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇନଥିଲା । ତେଣୁ ବନ୍ଦ୍ ର ପ୍ରଭାବ ନାହିଁ ବୋଲି କହିଛନ୍ତି ଡିସିପି । ସେପଟେ ଆଗାମୀ ଦିନରେ ପୁଣି ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛି ନବ ନିର୍ମାଣ ଛାତ୍ର କୃଷକ ସଂଗଠନ।

Leave A Reply

Your email address will not be published.