ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଇଣ୍ଡି ମେଣ୍ଟର ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ ପ୍ରଦର୍ଶନର ଖବର ସଂଗ୍ରହ କରିବାକୁ ଆସୁଥିବା ସ୍ୱାଧୀନ ସାମ୍ବାଦିକ ଓ ପୋଲିସ ମଧ୍ୟରେ ବିଭିନ୍ନ ଘଟଣାକୁ ନେଇ ବିବାଦ ଦେଖିବାକୁ ମିଳୁଛି । ଏପରିକି ସାମ୍ବାଦିକଙ୍କୁ ଭୁଲ୍ ଭାବେ ଅଟକ ରଖାଯାଉଥିବା ଅଭିଯୋଗ ହେଉଛି । ଏହି ପରିସ୍ଥିତିରେ ଦିଲ୍ଲୀ ପୋଲିସ ସାମ୍ବାଦିକଙ୍କ ପାଇଁ ଏକ ଗାଇଡଲାଇନ୍ ଜାରି କରିଛି ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ପୋଲିସ ପକ୍ଷରୁ ସାମ୍ବାଦିକମାନେ କ’ଣ କରିବା ଉଚିତ ଏବଂ କେଉଁସବୁ କଥାରୁ ଦୂରେଇ ରହିବା ଆବଶ୍ୟକ, ସେ ସମ୍ପର୍କରେ ଜଣାଯାଇଛି । କିନ୍ତୁ ଏହି ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଦିଲ୍ଲୀ ପୋଲିସକୁ ଟ୍ରୋଲ୍ କରାଯାଉଛି।
ଦିଲ୍ଲୀ ପୋଲିସର ଗାଇଡଲାଇନ୍ ଅନୁଯାୟୀ, ଖବର ସଂଗ୍ରହ କରିବାକୁ ଆସୁଥିବା ସମସ୍ତ ସାମ୍ବାଦିକ ନିଜର ପରିଚୟପତ୍ର ସାଙ୍ଗରେ ଆଣିବା ଆବଶ୍ୟକ । କେବଳ ପରିଚୟପତ୍ର ଆଣିଲେ ହେବ ନାହିଁ, ଏହାକୁ ସବୁବେଳେ ବେକରେ ପକାଇ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଯାହାଦ୍ୱାରା ସାମ୍ବାଦିକଙ୍କ ପରିଚୟ ଓ ସେ କେଉଁ ସଂସ୍ଥା ସହ ଜଡ଼ିତ, ତାହା ସହଜରେ ଜଣାପଡ଼ିବ । ସାମ୍ବାଦିକମାନେ ପୋଲିସ କର୍ମଚାରୀଙ୍କଠାରୁ ଉପଯୁକ୍ତ ଦୂରତା ବଜାୟ ରଖିବା ସହ ସେମାନଙ୍କ କାର୍ଯ୍ୟରେ ବାଧା ନଦେବାକୁ ମଧ୍ୟ ଗାଇଡଲାଇନରେ କୁହାଯାଇଛି । ରିପୋର୍ଟିଂ ସମୟରେ ପୋଲିସ କର୍ମଚାରୀଙ୍କ ମୁହଁ ପାଖକୁ ମାଇକ୍ ନେଇ ନଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ଦିଲ୍ଲୀ ପୋଲିସର ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସାମ୍ବାଦିକଙ୍କୁ ପରିଚୟପତ୍ର ପିନ୍ଧିବାକୁ ପରାମର୍ଶ ଦେଉଥିବା ପୋଲିସ ନିଜ କର୍ମଚାରୀଙ୍କ ପୋଷାକରେ ନେମପ୍ଲେଟ୍ ନଥିବା କଥା କିପରି ଭୁଲିଗଲା ବୋଲି ଅନେକ ୟୁଜର୍ସ ପ୍ରଶ୍ନ କରିଛନ୍ତି ।
ୟୁଜର୍ ଲେଖିଛନ୍ତି ଯେ, ନିଜର ପରିଚୟ ଲୁଚାଇବା ଠିକ୍ ନୁହେଁ। ସାମ୍ବାଦିକ ହୁଅନ୍ତୁ କି ପୋଲିସ କର୍ମଚାରୀ, ଡ୍ୟୁଟିରେ ଥିବା ସମୟରେ ସମସ୍ତଙ୍କ ପରିଚୟ ସ୍ପଷ୍ଟ ରହିବା ଉଚିତ।