ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ରାହୁଲଙ୍କ ସମେତ INDIA ମେଣ୍ଟ ନେତାଙ୍କୁ ନୋଟିସ୍ କରାଯାଇଛି । ଅକ୍ଟୋବର ୧୨ ହୋଇଥିବା ଚଲୋ ଦିଲ୍ଲୀ ପ୍ରତିବାଦକୁ ନେଇ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀ ନେତାମାନଙ୍କୁ ନୋଟିସ୍ ଜାରି କରିଛନ୍ତି ।
ରାଜନୈତିକ ବିକ୍ଷୋଭ ଉପରେ କଟକଣା ପାଇଁ ଚାରି ଆଇନଜୀବୀଙ୍କ ଆବେଦନର ଶୁଣାଣି ହୋଇଛି । ନ୍ୟାୟପାଳିକା ଉପରେ ଚାପ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି କହିଛନ୍ତି । କେରଳ କଂଗ୍ରେସ ବିରୋଧରେ ଅବମାନନା ପ୍ରସଙ୍ଗରେ ଏବେ ନୋଟିସ୍ ନାହିଁ। ପ୍ରଥମେ ଜବାବ, ପରେ ପଦକ୍ଷେପ ବୋଲି CJI କହିଛନ୍ତି ।
ସେପଟେ ନିର୍ବାଚନ କମିଶନ ଓ CECଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIRକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ INDIA ମେଣ୍ଟର ଅନ୍ୟ ନେତାଙ୍କ ଆବେଦନ ଉପରେ ଭାରତୀୟ ନିର୍ବାଚନ କମିଶନ ଏବଂ ମୁଖ୍ୟ ନିର୍ବାଚନ କମିଶନର ବା CECଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ । SIR ପ୍ରକ୍ରିୟାର ବୈଧତା, ଭୋଟର ତାଲିକାରୁ ନାମ ବାଦ୍ ଦିଆଯିବା ଏବଂ ଯୋଗ୍ୟ ମତଦାତାଙ୍କ ଭୋଟଦାନ ଅଧିକାର ପ୍ରଭାବିତ ହେବାର ଆଶଙ୍କାକୁ ନେଇ ଆବେଦନକାରୀମାନେ ପ୍ରଶ୍ନ ଉଠାଇଛନ୍ତି ।
ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାକୁ ଆବେଦନରେ ଦାବି କରାଯାଇଛି । ବିଶେଷକରି ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ନାମଗୁଡ଼ିକର ସ୍ୱାଧୀନ ଯାଞ୍ଚ ଏବଂ SIR ପ୍ରକ୍ରିୟା ଉପରେ ଅନ୍ତରୀଣ କଟକଣା ଲଗାଇବାକୁ ଆବେଦନକାରୀମାନେ ଅନୁରୋଧ କରିଛନ୍ତି । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ସମସ୍ତ ପ୍ରସଙ୍ଗରେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ କମିଶନରଙ୍କ ଜବାବ ମାଗିଛନ୍ତି ।