ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍, ତିରଙ୍ଗା ଯାତ୍ରା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ
ରାଜଧାନୀ ଦିଲ୍ଲୀରେ ପ୍ରସ୍ତାବିତ ଲହରା ଦୋ ତିରଙ୍ଗା ଯାତ୍ରାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ । ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଦୀପକେ ରହୁଥିବା ବାସଭବନରେ ପୋଲିସର ଏକ ଟିମ୍ ପହଞ୍ଚି ତାଙ୍କୁ ଏହି ନୋଟିସ୍ ପ୍ରଦାନ କରିଛି । ନୋଟିସ ଦେବା ବେଳେ ପୋଲିସ ଓ ଦୀପକେଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଥିଲା ।
ନୋଟିସରେ ସ୍ପଷ୍ଟ କରାଯାଇଛି ଯେ, କନଟ୍ ପ୍ଲେସ୍ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ କଟକଣା ଲାଗୁ ରହିଛି । ଏହାସହ ତିରଙ୍ଗା ଯାତ୍ରା ଆୟୋଜନ ପାଇଁ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ୍ ପକ୍ଷରୁ କୌଣସି ଅନୁମତି ଦିଆଯାଇନାହିଁ । ଏଭଳି ପରିସ୍ଥିତିରେ ଦୀପକେ ଯଦି କଟକଣା ଅମାନ୍ୟ କରି କନଟ୍ ପ୍ଲେସରେ ତିରଙ୍ଗା ଯାତ୍ରା ଆୟୋଜନ କରନ୍ତି କିମ୍ବା ଏଥିରେ ଅଂଶଗ୍ରହଣ କରିବାକୁ ଆଗେଇ ଆସନ୍ତି, ତେବେ ତାହା ଧାରା ୧୬୩ ଅନୁଯାୟୀ ଜାରି ନିଷେଧାଦେଶର ଉଲ୍ଲଂଘନ ହେବ ବୋଲି ପୋଲିସ ଚେତାବନୀ ଦେଇଛି ।
ଏପରି ସ୍ଥିତିରେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ନୋଟିସ୍ ରେ ଉଲ୍ଲେଖ ରହିଛି । ଅଭିଜିତ ଦୀପକେ ଆଜି ସନ୍ଧ୍ୟା ୫ଟାରେ କନଟ୍ ପ୍ଲେସ୍ ର ସେଣ୍ଟ୍ରାଲ ପାର୍କରେ ଲହରା ଦୋ ତିରଙ୍ଗା ପ୍ରତିବାଦ କାର୍ଯ୍ୟକ୍ରମ ପାଇଁ ଆହ୍ୱାନ ଦେଇଛନ୍ତି । ଏହାକୁ ନେଇ ପୂର୍ବରୁ ପୋଲିସ ଓ ସିଜେପି ମଧ୍ୟରେ ମତଭେଦ ଦେଖାଦେଇଥିଲା । ଦୀପକେ ରହୁଥିବା ଘରେ ପହଞ୍ଚି ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ । ଏବେ ପୋଲିସର ଲିଖିତ ନୋଟିସ୍ ପରେ ପ୍ରସ୍ତାବିତ ତିରଙ୍ଗା ଯାତ୍ରାକୁ ନେଇ ଅନିଶ୍ଚିତତା ବଢ଼ିଛି । ଦିଲ୍ଲୀ ପୋଲିସର ଏହି ଚେତାବନୀ ପରେ ଦୀପକେ ତିରଙ୍ଗା ଯାତ୍ରା ବାତିଲ କରିବେ ନା କଟକଣା ସତ୍ତ୍ୱେ କନଟ୍ ପ୍ଲେସ୍ ଅଭିମୁଖେ ଯିବେ, ତାହା ଉପରେ ନଜର ରହିଛି ।