JDUରୁ ବିଦା ହେବା ପରେ ଅନନ୍ତ ସିଂହଙ୍କ ବଡ଼ ବୟାନ, ମୋତେ କୌଣସି ଫରକ ପଡେନି, ନିଜେ ଗଢ଼ିବି ନୂଆ ଦଳ

0

ପାଟନା : ଜେଡିୟୁରୁ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ ହେବା ପରେ ବର୍ଷିଛନ୍ତି ବାହୁବଳୀ ବିଧାୟକ ଅନନ୍ତ ସିଂହ । ଆଗାମୀ ନିର୍ବାଚନରେ JDU ମାତ୍ର ୧୦ଟି ଆସନରେ ସୀମିତ ରହିବ ବୋଲି ସେ ଦାବି କରିଛନ୍ତି । ପାର୍ଟିକୁ ଟାର୍ଗେଟ କରି କହିଛନ୍ତି, ତାଙ୍କୁ କୌଣସି ଫରକ ପଡ଼ୁନାହିଁ । ଯେଉଁମାନେ ତାଙ୍କୁ ପାର୍ଟିରୁ ବହିଷ୍କୃତ କରିଛନ୍ତି, ସେମାନଙ୍କ ଯୋଗ୍ୟତା ଆଗାମୀ ନିର୍ବାଚନରେ ଜଣାପଡିବ ।

ଅନନ୍ତ ସିଂହ କହିଛନ୍ତି, ନୀତୀଶ କୁମାରଙ୍କ ପରେ ଦଳରେ ଆଉ କିଛି ବାକି ନାହିଁ । ଯେଉଁମାନେ ତାଙ୍କୁ ଦଳରୁ ବାହାର କରିଛନ୍ତି, ଆଗାମୀ ନିର୍ବାଚନରେ ସେମାନଙ୍କ ରାଜନୈତିକ ସ୍ଥିତି ଜଣାପଡ଼ିଯିବ । ଆମେ ନିଜର ଦଳ ଗଢ଼ିବୁ । ଆମେ କୁଆଡ଼େ ଯିବୁ, ସେକଥା କାହିଁକି କହିବୁ ?

ନୀତୀଶ କୁମାର ହିଁ ତାଙ୍କୁ JDUକୁ ଆଣିଥିଲେ । କିନ୍ତୁ ତାଙ୍କ ପରେ ଦଳରେ ଆଉ କିଛି ରହିନାହିଁ ଏବଂ ଦଳ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ବୋଲି ଅନନ୍ତ ସିଂହ ମତ ଦେଇଛନ୍ତି । ଏହି ପ୍ରସଙ୍ଗରେ ନୀତୀଶ କୁମାରଙ୍କ ସହ କଥା ବୋଲି ଅନନ୍ତ ସିଂହ କହିଛନ୍ତି । ଏଥିସହ ନୀତୀଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନଥିବା କହିବା ସହ ତାଙ୍କ ପରେ ଦଳର ଭବିଷ୍ୟତ ନାହିଁ ବୋଲି ମତ ଦେଇଛନ୍ତି । ଦଳ ପକ୍ଷରୁ ତାଙ୍କୁ ବହିଷ୍କାର ସମ୍ପର୍କରେ କୌଣସି ଚିଠି ଦିଆଯାଇନାହିଁ । ମୋବାଇଲ୍ ଓ ଖବରକାଗଜରୁ ସେ ଏହି ଖବର ଜାଣିବାକୁ ପାଇଥିଲେ ।

ସୂଚନାଯୋଗ୍ୟ, ପାଟନା ସ୍ନାତକ ନିର୍ବାଚନମଣ୍ଡଳୀରୁ MLC ନିର୍ବାଚନ ପାଇଁ JDU ପ୍ରାର୍ଥୀ ନୀରଜ କୁମାରଙ୍କୁ ଅନନ୍ତ ସିଂହ ଖୋଲାଖୋଲି ବିରୋଧ କରୁଥିଲେ । ଦଳ ପକ୍ଷରୁ ତାଙ୍କୁ ବୁଝାଇବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ସେ ନିଜ ଆଭିମୁଖ୍ୟରୁ ଓହରିନଥିଲେ । ଏପରିକି ସେ ଜନ ସୁରାଜ ପ୍ରାର୍ଥୀଙ୍କ ପାଇଁ ଖୋଲାଖୋଲି ପ୍ରଚାର କରିବା ସହ ନୀରଜ କୁମାରଙ୍କ ବିରୋଧରେ ବୟାନ ଦେଉଥିଲେ । ଏହାକୁ ନେଇ ଦଳ ଅସନ୍ତୁଷ୍ଟ ହୋଇ ଅନନ୍ତ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା । ଶନିବାର ତାଙ୍କୁ ୬ ବର୍ଷ ପାଇଁ JDUରୁ ବହିଷ୍କାର କରାଯାଇଥିଲା ।

Leave A Reply

Your email address will not be published.