ଓଡ଼ିଆ ସିନେମାରେ ୫୦ ବର୍ଷର ଯାତ୍ରା: ମହାନାୟିକା ମହାଶ୍ୱେତା ରାୟଙ୍କୁ ସମ୍ମାନିତ କଲା OFDC
ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତର ଅପ୍ରତିଦ୍ୱନ୍ଦ୍ୱୀ ମହାନାୟିକା ମହାଶ୍ୱେତା ରାୟ (ରଶ୍ମି ଅପା)ଙ୍କ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୫୦ ବର୍ଷର ନିରନ୍ତର ଯାତ୍ରାକୁ ସମ୍ମାନ ଜଣାଯାଇଛି। OFDCର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ତିନିଦିନିଆ ସାଂସ୍କୃତିକ ମହୋତ୍ସବର ଶେଷ ସନ୍ଧ୍ୟାରେ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମାରୋହରେ ଓଡ଼ିଆ ସିନେମା ଜଗତର ବହୁ ବରିଷ୍ଠ ଓ ଖ୍ୟାତନାମା ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ। ବରିଷ୍ଠ ସିନେମା ବ୍ୟକ୍ତିତ୍ୱ ଶିଶିର ମିଶ୍ର, ଅଭିନେତା ସିଦ୍ଧାନ୍ତ ମହାପାତ୍ର, OFDC-କଳିଙ୍ଗ ଷ୍ଟୁଡିଓର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର ପଣ୍ଡା (IAS) ଏବଂ ଅଭିନେତା ଶ୍ରୀତମ ଦାସଙ୍କ ସମେତ ଅନେକ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା ଓ ବୈଷୟିକ କଳାକାର ଉପସ୍ଥିତ ଥିଲେ।
ପରଦାରେ ପୁଣି ଜୀବନ୍ତ ହେଲା ପୁରୁଣା ଓଡ଼ିଆ ସିନେମାର ସ୍ମୃତି
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଅଧ୍ୟାୟକୁ ପୁଣିଥରେ ମନେ ପକାଇବାର ଏକ ନିଆରା ପ୍ରୟାସ। Tutu Naik Entertainment ପକ୍ଷରୁ ପ୍ରଶାନ୍ତ ନନ୍ଦ ଓ ମହାଶ୍ୱେତା ରାୟ ଅଭିନୀତ ଚଳଚ୍ଚିତ୍ର ‘ମାଆ ଓ ମମତା’ ଏବଂ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଲହରୀ’ ପ୍ରଦର୍ଶିତ ହୋଇଥିଲା। ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦର୍ଶକଙ୍କୁ ପୁରୁଣା ଓଡ଼ିଆ ସିନେମାର ସ୍ମୃତି ଓ ସେହି ସମୟର କଳାତ୍ମକ ପରମ୍ପରା ସହ ଯୋଡ଼ିବାର ସୁଯୋଗ ଦେଇଥିଲା।
ପୁରୁଣା ସିନେମା ଗୀତରେ ଯୁବ କଳାକାରଙ୍କ ନୃତ୍ୟ
ସାଂସ୍କୃତିକ ସନ୍ଧ୍ୟାକୁ ଆହୁରି ଆକର୍ଷଣୀୟ କରିଥିଲା ପୁରୁଣା ଓଡ଼ିଆ ସିନେମା ଗୀତକୁ ନେଇ ପରିବେଷିତ ନୃତ୍ୟ କାର୍ଯ୍ୟକ୍ରମ। ନୃତ୍ୟ ନିର୍ଦ୍ଦେଶକ ବାବୁ ଭାଇ ଓ ଅମିତଙ୍କ ନିର୍ଦ୍ଦେଶନାରେ ଭୂମିକା, ସୂର୍ଯ୍ୟମୟୀ, ସୁବାଶିଷ ଶର୍ମା, ଆକାଶ ହୋତା ଓ ସନୋଜଙ୍କ ସମେତ ଅନେକ ଯୁବ ସିନେମା କଳାକାର ମନୋରଞ୍ଜନଧର୍ମୀ ନୃତ୍ୟ ପରିବେଷଣ କରିଥିଲେ। ପୁରୁଣା ସିନେମା ସଙ୍ଗୀତର ମଧୁର ସ୍ମୃତି ସହ ଯୁବ କଳାକାରଙ୍କ ଉତ୍ସାହ ଏହି ସନ୍ଧ୍ୟାକୁ ଅଧିକ ରଙ୍ଗିନ କରିଥିଲା।
ବରିଷ୍ଠ ଓ ନୂତନ ପିଢ଼ିର କଳାକାରଙ୍କୁ ଏକାଠି କରିବାର ପ୍ରୟାସ
ଏହି ଆୟୋଜନର ଏକ ପ୍ରମୁଖ ଉଦ୍ଦେଶ୍ୟ ଥିଲା ଓଡ଼ିଆ ସିନେମାର ବରିଷ୍ଠ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରଙ୍କ ସହ ନୂତନ ପିଢ଼ିର ସିନେମା ବ୍ୟକ୍ତିତ୍ୱଙ୍କୁ ଏକ ମଞ୍ଚରେ ଏକାଠି କରିବା। ଏହି ଉଦ୍ୟମ ପାଇଁ ସୁରେନ୍ଦ୍ର ପଣ୍ଡା (IAS)ଙ୍କ ପଦକ୍ଷେପକୁ ସ୍ୱାଗତ କରାଯାଇଥିଲା। ରାଜ୍ୟ ସରକାର ଏବଂ କଳିଙ୍ଗ ଷ୍ଟୁଡିଓର ଏହି ପ୍ରୟାସକୁ ଉପସ୍ଥିତ ସିନେମା ବ୍ୟକ୍ତିତ୍ୱମାନେ ପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟକ୍ରମ ଓଡ଼ିଆ ସିନେମାର ଗୌରବମୟ ଇତିହାସକୁ ସ୍ମରଣ କରିବା ସହ ବରିଷ୍ଠ ଓ ନୂତନ କଳାକାରଙ୍କ ମଧ୍ୟରେ ସମ୍ପର୍କ ଓ ସହଯୋଗକୁ ଆହୁରି ମଜବୁତ କରିବ ବୋଲି ଆଶା ପ୍ରକାଶ ପାଇଛି।