ଟ୍ରମ୍ପଙ୍କ ପ୍ରତିନିଧିଙ୍କୁ ପୁଟିନଙ୍କ ସ୍ପଷ୍ଟ ବାର୍ତ୍ତା, ବିଦେଶୀ ସେନା ହେବ ରୁଷର ଟାର୍ଗେଟ୍
ନୂଆଦିଲ୍ଲୀ: ୟୁକ୍ରେନରେ ବିଦେଶୀ ସେନା ମୁତୟନକୁ ରୁଷର କଡ଼ା ବିରୋଧ । ରୁଷ-ୟୁକ୍ରେନ ଯୁଦ୍ଧର ଅବସାନ ପାଇଁ କୂଟନୈତିକ ଉଦ୍ୟମ ଜାରି ରହିଥିବା ବେଳେ ୟୁରୋପୀୟ ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ମାଟିରେ କୌଣସି ବିଦେଶୀ ସେନାର ଉପସ୍ଥିତିକୁ ରୁଷ ଗ୍ରହଣ କରିବ ନାହିଁ । ଶାନ୍ତି ଚୁକ୍ତି ପରେ ମଧ୍ୟ ୟୁରୋପୀୟ ସେନା ୟୁକ୍ରେନରେ ମୁତୟନ ହେଲେ ରୁଷ ଏହାକୁ ସାମରିକ ଲକ୍ଷ୍ୟ ଭାବେ ବିବେଚନା କରିବ ବୋଲି ପୁଟିନ କହିଛନ୍ତି । କ୍ରେମଲିନରେ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଓ ଜାରେଡ୍ କୁଶନରଙ୍କ ସହ ବୈଠକରେ ପୁଟିନ ଏହି ମତ ରଖିଛନ୍ତି । ୟୁକ୍ରେନ ସହ ଆଲୋଚନା ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଶାନ୍ତି ପ୍ରକ୍ରିୟାରେ ଅନ୍ତତଃ ମାନବିକ ସହାୟତା କ୍ଷେତ୍ରରେ ଅଗ୍ରଗତି ହୋଇଛି ।
ଦୁଇ ଦେଶ ମଧ୍ୟରେ ଯୁଦ୍ଧବନ୍ଦୀ ବିନିମୟ ହୋଇଥିବା ବେଳେ ଆଉ ଏକ ବଡ଼ ପଦକ୍ଷେପ ପାଇଁ ପ୍ରସ୍ତୁତି ଚାଲିଛି । ଖେରସନ ଅଞ୍ଚଳର ଆଲ୍ୟୋଷ୍କି ସହରରେ ମାନବିକ ପରିସ୍ଥିତିର ମୁକାବିଲା ଦିଗରେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କ ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ତେବେ ଶାନ୍ତି ଚୁକ୍ତିର ସ୍ଥାୟିତ୍ୱ ଓ ଭୂଖଣ୍ଡଗତ ବିବାଦ ନେଇ ପୁଟିନ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ରୁଷ ମଧ୍ୟ ଚିରସ୍ଥାୟୀ ଶାନ୍ତି ଚାହୁଁଛି ବୋଲି କହିବା ସହ ବିବାଦୀୟ ଅଞ୍ଚଳରେ ତଥାକଥିତ ‘ଗ୍ରେ ଜୋନ୍’ ବ୍ୟବସ୍ଥାକୁ ସେ ବିରୋଧ କରିଛନ୍ତି । ତାଙ୍କ ମତରେ ଏଭଳି ଅସ୍ପଷ୍ଟ ସୀମା ବ୍ୟବସ୍ଥା ଭବିଷ୍ୟତରେ ନୂଆ ବିବାଦ ସୃଷ୍ଟି କରିପାରେ। ତେଣୁ ରାଷ୍ଟ୍ରୀୟ ସୀମାକୁ ହିଁ ଏକମାତ୍ର ସ୍ପଷ୍ଟ ବିଭାଜନ ରେଖା ଭାବେ ଗ୍ରହଣ କରିବା ଉପରେ ସେ ଜୋର ଦେଇଛନ୍ତି ।
ୟୁରୋପ ସହ ସମ୍ପର୍କ ପ୍ରସଙ୍ଗରେ ପୁଟିନ କହିଛନ୍ତି ଯେ ରୁଷ କେବେ ଆଲୋଚନାର ଦ୍ୱାର ବନ୍ଦ କରିନାହିଁ। ବରଂ ୟୁରୋପୀୟ ଦେଶଗୁଡ଼ିକ ରୁଷ ସହ ଆଲୋଚନା ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ଶାନ୍ତି ପ୍ରତିଷ୍ଠା ପରେ ୟୁକ୍ରେନରେ ୟୁରୋପୀୟ ସେନା ମୁତୟନ ପ୍ରସ୍ତାବକୁ ପୁଟିନ ସିଧାସଳଖ ବିରୋଧ କରିଛନ୍ତି । ଏଭଳି ପଦକ୍ଷେପ ରୁଷର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ଏବଂ ଯୁଦ୍ଧ ପୁଣି ଆରମ୍ଭ ହୋଇପାରେ ବୋଲି ସେ ଚେତାଇ ଦେଇଛନ୍ତି । ଏହି ପ୍ରସଙ୍ଗରେ ଆମେରିକା ପ୍ରଶାସନ ୟୁରୋପୀୟ ସହଯୋଗୀଙ୍କ ସହ ଆଲୋଚନା କରିବାକୁ ପୁଟିନ ଅନୁରୋଧ କରିଛନ୍ତି । ୟୁରୋପ ପ୍ରକୃତରେ ୟୁକ୍ରେନରେ ଶାନ୍ତି ଚାହୁଁଛି ନା ଯୁଦ୍ଧ, ସେନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି କହିଛନ୍ତି ପୁଟିନ। ଟ୍ରମ୍ପଙ୍କ ପ୍ରତିନିଧି ଦଳ ସହ ଆଲୋଚନା କାଳରେ ରୁଷ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ।