ଭୁବନେଶ୍ୱର ମହାନଗର ନିଗମ (ବିଏମସି) ର ବେଆଇନ ସିଲିଂ ଏବଂ ଉଚ୍ଛେଦ ନୋଟିସକୁ ନେଇ ରାଜଧାନୀରେ ଜନଅସନ୍ତୋଷ ତୀବ୍ର ରୂପ ନେଇଛି। ଏହାର ପ୍ରତିବାଦରେ ଆଜି ‘ଆମେ ଭୁବନେଶ୍ୱରିଆ’ ସଂଗଠନ ପକ୍ଷରୁ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ସତ୍ୟାଗ୍ରହ ତଥା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି।
ବିଶେଷକରି, ସହରର ଆବାସିକ ଗୃହଗୁଡ଼ିକରେ ଚାଲିଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ୍ କରି ବିଏମସି ପକ୍ଷରୁ ଦିଆଯାଇଥିବା ସିଲିଂ ନୋଟିସ୍କୁ ସଂଗଠନ ଦୃଢ଼ ବିରୋଧ କରିଛି। ଏହାସହ ଜବରଦସ୍ତ ପାଣି ସଂଯୋଗ କାଟିଦେବା ଏବଂ ବିଏମସି କର୍ମଚାରୀମାନେ ସାଧାରଣ ନାଗରିକଙ୍କ ସହ ଦୁର୍ବ୍ୟବହାର କରୁଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ। ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ମଧ୍ୟ ସମାନ ଦାବି ନେଇ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଥିଲା। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆନଯିବାରୁ ଆଜି ପୁଣିଥରେ ଆନ୍ଦୋଳନ ତେଜିଛି ଏବଂ ତୁରନ୍ତ ଏହି ବେଆଇନ ନୋଟିସ୍ ପ୍ରତ୍ୟାହାର କରିବାକୁ ଦାବି ହୋଇଛି।
ସଂଗଠନର ଆବାହକ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ୨୦୦୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ନିଜର ହକ୍ ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି। ଏହି ନାଗରିକ ସତ୍ୟାଗ୍ରହକୁ ସମର୍ଥନ ଜଣାଇ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏବଂ ମନ୍ମଥ ରାଉତରାୟଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି। ବିଏମସି ଏହାର ନିଷ୍ପତ୍ତିରୁ ଓହରି ନୋଟିସ୍ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।