ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଧମକ, ବାବା ସିଦ୍ଦିକି ହତ୍ୟା ମାମଲାର ଅଭିଯୁକ୍ତ ଧମକ ଦେଇଥିବା ସନ୍ଦେହ
ବଲିଉଡ୍ ଅଭିନେତାଙ୍କୁ ଧମକ ମିଳିବା ଘଟଣା ଥମିବାର ନାଁ ନେଉନାହିଁ । ଅମିତାଭ ବଚ୍ଚନ, ତୁଷାର କପୁର ଓ ଆୟୁଷ୍ମାନ ଖୁରାନାଙ୍କ ପରେ ଏବେ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ମିଳିଛି ହତ୍ୟା ଧମକ । ମୁମ୍ବାଇ ପୋଲିସ ଅନୁସାରେ, ରାଜନେତା ବାବା ସିଦ୍ଦିକି ହତ୍ୟା ମାମଲାରେ ଫେରାର ଥିବା ଅଭିଯୁକ୍ତ ଜିଶାନ ଅଖତର ସୈଫ ଅଲ୍ଲୀ ଖାନଙ୍କୁ ଧମକ ଦେଇଥିବା ସନ୍ଦେହ କରାଯାଉଛି । ଖବର ମିଳିବା ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବାବା ସିଦ୍ଦିକିଙ୍କର ବଲିଉଡ୍ କଳାକାରଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା । ସେ ପ୍ରତିବର୍ଷ ନିଜର ଇଫତାର ପାର୍ଟିକୁ ସଲମାନ ଖାନ୍, ଶାହରୁଖ ଖାନଙ୍କ ସମେତ ଅନେକ ଫିଲ୍ମ ଓ ଟିଭି କଳାକାରଙ୍କୁ ନିମନ୍ତ୍ରଣ କରୁଥିଲେ । ୨୦୨୪ ଅକ୍ଟୋବର ୨୪ ତାରିଖରେ ମୁମ୍ବାଇର ବାନ୍ଦ୍ରାଠାରେ ବାବା ସିଦ୍ଦିକିଙ୍କ ଉପରେ ଆକ୍ରମଣ ହୋଇଥିଲା । ସେ ନିଜ ପୁଅ ଜିଶାନ ସିଦ୍ଦିକିଙ୍କ କାର୍ଯ୍ୟାଳୟ ବାହାରେ ଥିବାବେଳେ ରାତି ପ୍ରାୟ ୯ଟା ୩୦ ମିନିଟ୍ରେ ଗୁଳି ହୋଇଥିଲା ।
ଏହି ହତ୍ୟା ମାମଲାରେ ଅନମୋଲ ବିଷ୍ଣୋଇ, ମହମ୍ମଦ ୟାସିନ ଅଖତର ଓରଫ ଜିଶାନ ଅଖତର ଏବଂ ଶୁଭମ ଲୋଙ୍କରଙ୍କୁ ମୁଖ୍ୟ ଫେରାର ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି । ଏବେ ସୈଫଙ୍କୁ ମିଳିଥିବା ଧମକ ଘଟଣାରେ ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ନାଁ ସାମ୍ନାକୁ ଆସିଛି ।
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଦୀର୍ଘଦିନ ଧରି ଅଭିନେତା ସଲମାନ ଖାନଙ୍କ ଧମକ ଦିଆଯାଉଛି । ତାଙ୍କ ଘର ଉପରେ ଗୁଳିମାଡ଼ ମଧ୍ୟ ହୋଇଛି । ଏହା ବ୍ୟତୀତ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଘର ଏବଂ କମେଡିଆନ୍ କପିଲ ଶର୍ମାଙ୍କ କାଫେ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଗତ ମାସରେ ଅଭିନେତା ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ମଧ୍ୟ ହୋଇଥିଲା ।
କେବଳ ସେତିକି ନୁହେଁ, ଆୟୁଷ୍ମାନ ଖୁରାନାଙ୍କୁ ଧମକ ଦେଇ ଟଙ୍କା ମାଗିବା ସହ ଅଭିନେତା ତୁଷାର କପୁରଙ୍କୁ ମଧ୍ୟ ଧମକ ମିଳିଥିଲା । ସେହିପରି ଅମିତାଭ ବଚ୍ଚନଙ୍କ ଘର ଜଲସା କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିଲା ।