ଧାମନଗର (ଆମ ଟିଭି): ଧାମନଗର ଉପନିର୍ବାଚନ ତାରିଖ ଯେତେ ପାଖଉଛି, ରାଜନୈତିକ ହାୱା ସେତେ ବଢିବାରେ ଲାଗିଛି । ଦିବଙ୍ଗତ ନେତା ବିଷ୍ଣୁ ସେଠୀଙ୍କ ପରଲୋକ ପରେ ତାଙ୍କ ପୁଅ ସୂର୍ୟ୍ୟବଂଶୀ ସୂରଜଙ୍କୁ ବିଜେପି ନିଜ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ସେ ନିଜ ନାମାଙ୍କନ ଦାଖଲ କରିଛନ୍ତି। ଆଜି ସେ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ବିଜେପିର ତୁଙ୍ଗ ନେତାଙ୍କ ସମେତ ତାଙ୍କ ଭଉଣୀ ବି ପାଖେପାଖେ ଉପସ୍ଥିତ ଥିଲେ।
ନାମାଙ୍କନ ପୂର୍ବରୁ ସୂର୍ୟ୍ୟବଂଶୀ ସୂରଜ ପୈତୃକ ଗାଁ ତିହିଡି ମଙ୍ଗରାଜପୁର ଓ ଭଦ୍ରକ କୁଆଁସ ସ୍ଥିତ ବାସଭବନରେ ନିଜ ବାପା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ କରିବାକୁ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଅଭିମୁଖେ ଯାଇଥିଲେ। ସୂର୍ୟ୍ୟବଂଶୀଙ୍କ ମା ଉର୍ମିଳା ପାଣିଗ୍ରାହୀ’ କହିଛନ୍ତି, ନିର୍ବାଚନ ମଣ୍ଡଳୀ ପାଇଁ ସେ ପୂରା ନୂଆ ନୁହେଁ । ସେ ପ୍ରାୟ ୧୦ ବର୍ଷ ହେବ ନିଜ ନିର୍ବାଚନ ମଣ୍ଡଳୀ ପାଇଁ କାମ କରୁଥିଲା। ବାପାଙ୍କ ଆଦର୍ଶ, ନୀତିକୁ ନେଇ କାମ କରୁଥିଲା। ତା’ ଉପରେ ପାହାଡ଼ ପରି ଦାୟିତ୍ୱର ବୋଝ ଅଛି। ଲୋକଙ୍କ ନିକଟରେ ପହଞ୍ଚିବାକୁ ସେ ପ୍ରୟାସ କରିବ ।