ଧାମନଗର ଉପନିର୍ବାଚନ: ରାଜେନ୍ଦ୍ର ଦାସଙ୍କ ଉପରେ ନଜର

0

ଧାମନଗର (ଆମ ଟିଭି): ସରଗରମ ହେଉଛି ଧାମନଗର ଉପନିର୍ବାଚନ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହରର ଶେଷ ତାରିଖ ଥିବା ବେଳେ ସମସ୍ତଙ୍କ ନଜର ରାଜେନ୍ଦ୍ର ଦାସଙ୍କ ଉପରେ ରହିଛି । ନିର୍ବାଚନ ରଣାଙ୍ଗନରେ ବିଜେପିରୁ ସୂର୍ୟ୍ୟବଂଶୀ ସୂରଜ, ବିଜେଡିରୁ ଅବନ୍ତୀ ଦାସ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ବିଦ୍ରୋହୀ ବିଜେଡି ସ୍ବାଧୀନ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସହ ଅନ୍ୟ ଦୁଇ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୬ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ଗତକାଲି ଯାଞ୍ଚ୍ ବେଳେ ସ୍ବାଧୀନ ପ୍ରାର୍ଥୀ ଶୁଭନାରାୟଣ ସେଠୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଥିଲା। ଏଭଳି ପରିସ୍ଥିତିରେ ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେପି, ବିଜେଡି ଓ କଂଗ୍ରେସ ତିନି ପ୍ରମୁଖ ଦଳରୁ କେହି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସମ୍ଭାବନା ପ୍ରାୟ ନାହିଁ।

ଅନ୍ୟ ଦୁଇ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ କେବଳ ରାଜେନ୍ଦ୍ରଙ୍କ ଉପରେ ଏବେ ସମସ୍ତଙ୍କର ନଜର ରହିଛି। ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ କି ନାହିଁ, ସେ ନେଇ ବିଜେଡିର ରାଜ୍ୟସ୍ତରୀୟ ନେତା ମଧ୍ୟ ଚିନ୍ତାରେ ଅଛନ୍ତି। ଏ ସମ୍ପର୍କରେ ରାଜନୈତିକ ବିଶେଷଜ୍ଞଙ୍କ ମତ ହେଉଛି, ରାଜେନ୍ଦ୍ର ବିଜେଡିରେ ଥାଇ ଦଳ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହେବା ଘଟଣା ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ନାମାଙ୍କନପତ୍ର ଦାଖଲ କରି ସେ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ରାଜେନ୍ଦ୍ର ନିର୍ବାଚନୀ ମଇଦାନରେ ରହିଲେ ବିଜେଡିର ଭୋଟ୍ ବ୍ୟାଙ୍କ ଭାଗହେବା ଏକପ୍ରକାର ସୁନିଶ୍ଚିତ। ଅନ୍ୟପକ୍ଷରେ, ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ରାଜେନ୍ଦ୍ରଙ୍କୁ ମନାଇବା ଉଦ୍ୟମ ଅବ୍ୟାହତ ରହିଛି। ଏଥିପାଇଁ ବିଜେଡିର କିଛିନେତା ଆଜି ମଧ୍ୟ ଦିନସାରା ଉଦ୍ୟମ ଚଳାଇଥିଲେ। ହେଲେ, ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେନି ବୋଲି ସେ ନିଜ ଜିଦ୍ରେ ଅଟଳ ଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

 

Leave A Reply

Your email address will not be published.