ନୂଆଦିଲ୍ଲୀ (ଆମ ଟିଭି): ଦେଶରେ ବେରୋଜଗାରକୁ ନେଇ ମୋଦୀ ସରକାର ନେଇଛନ୍ତି ବନ ପଦକ୍ଷେପ । ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି ରୋଜଗାର ମେଳା । ଏହି କାର୍ୟ୍ୟକ୍ରମର ପ୍ରଥମ ପର୍ୟ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ଦେଶର ୭୫ ହଜାର ଶିକ୍ଷିତ ବେରୋଜଗାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ମାଦ୍ୟମରେ ଏହି ନିଯୁକ୍ତି ପତ୍ର ବଣ୍ଟାଯାଇଛି । ଏହାସହ ଆଗାମୀ ଦେଢ ବର୍ଷ ମଧ୍ୟରେ ଦେଶରେ ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ରୋଜଗାର ମେଳାକୁ କଟାକ୍ଷ କରିଛି କଂଗ୍ରେସ । କଂଗ୍ରେସ ତରଫରୁ ବରିଷ୍ଠ ନେତା ରଣଦୀପ ସୁରଜୱାଲା କହିଛନ୍ତି ଯେ, ଏହା ମିଛ ରାଜାଙ୍କୁ ଏକ ଇଭେଣ୍ଟବାଜୀ । ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କି ବର୍ଷକୁ ଦୁଇକୋଟି ଚାକିରି ହିସାବରେ ୮ ବର୍ଷରେ ଯେଉଁ ୧୬ କୋଟି ଚାକିରି ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡେ ଗଲା ।
ସୁରଜୱାଲା ଏହାକୁ ଭାରତ ଯୋଡ ଯାତ୍ରାର ସବୁଠାରୁ ବଡ ଉପଲବ୍ଧି ବୋଲି କହି ଏକ ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ଆହୁରି ଲେଖିଛନ୍ତି ଯେ, ଦେଶରେ ୩୦ ଲକ୍ଷ ସରକାରୀ ପଦବୀ ଖାଲି ପଡିଥିବା ବେଳେ ମାତ୍ର ୭୦ ହଜାର ପିଲାଙ୍କୁ ନିଯୁକ୍ତି ଦେଇ ପ୍ରଧାନମନ୍ତ୍ରୀ ପୁଣି ଦେଶର ନାଗରିକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ।