ପୁଣି ଜେଲର ଚାରିକାନ୍ଥ ଭିତରକୁ ଫେରିଲେ ଅର୍ଚ୍ଚନା ନାଗ

0

ଭୁବନେଶ୍ବର (ଆମ ଟିଭି): ରାଜଧାନୀରେ କଳା ସାମ୍ରାଜ୍ୟ ଚଲାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଏବେ ପୁଣି ଜେଲର ଚାରିକାନ୍ଥ ଭିତରକୁ ଚାଲିଯାଇଛନ୍ତି । ଆଜି ଅପରାହ୍ଣରେ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯିବା ପରେ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ପୁଣି ଥରେ ପୁଲିସର କଡ଼ା ସୁରକ୍ଷା ଭିତରେ ଝାରପଡ଼ା ଜେଲକୁ ନିଆଯାଇଛି। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାକୁ ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଏସ୍ଡିଜେଏମ୍ କୋର୍ଟରେ ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଛି। ରାୟ ସଂରକ୍ଷିତ ରଖାଯାଇଛି। ତେବେ ଅର୍ଚ୍ଚନା ନାଗକୁ କୋର୍ଟରେ ହାଜିର କରାଯିବା ପରେ ଜାମିନ ନେଇ ଓକିଲ ଦେବାଶିଷ ମହାପାତ୍ର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଅର୍ଚ୍ଚନା ନାଗଙ୍କ ପାଇଁ ଆମେ ଜାମିନ୍ ଆବେଦନ କରିଛୁ।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ଗତ ୭ ତାରିଖରେ ଗିରଫ ହେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିପାରିଥିଲେ। ସେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପ୍ରତିକ୍ରିୟା ଦେଇ କହିଥିଲେ, ‘ବିନା କୌଣସି ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ।’ ପ୍ରବଳ ଭିଡ ଭିତରେ ସେ ଗଣମାଧ୍ୟମକୁ ଏହି ପଦକ କଥା କହୁଥିବା ଶୁଣିବାକୁ ମିଳିଥିଲା। ଜନୈକ ଯୁବତୀଙ୍କ ସହ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିବା ଧମକ ଦେଇ ଅର୍ଚ୍ଚନା ନାଗ ତିନି କୋଟି ଟଙ୍କା ଦାବି କରିଥିବା ଅଭିଯୋଗ ରହିଛି। ନୂଆପଲ୍ଳୀ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି।

ଗତ ସେପ୍ଟେମ୍ବର ୨୯ ତାରିଖ ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ କିଛି ଅଶ୍ଳୀଳ ଫଟୋ ଓ ତାଙ୍କ ବିରୋଧରେ ଏକ ଏତଲା କପି ଘୂରି ବୁଲିଥିଲା। ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଶ୍ରୀ ପରିଜା ରାତାରାତି ନୂଆପଲ୍ଲୀ ଥାନାର ଦ୍ବାରସ୍ଥ ହେଲେ। ଅଭିଯୋଗ ଥିଲା, ଜଣେ ଯୁବତୀ ଓ ଅର୍ଚ୍ଚନା ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲରେ ରଖିଛନ୍ତି। ଉକ୍ତ ଫଟୋ ଡିଲିଟ୍ ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଏକ ହୋଟେଲ୍ରେ ତାଙ୍କୁ ୩ କୋଟି ଟଙ୍କା ମଗା ଯାଇଥିଲା। ମାତ୍ର ମୂଲଚାଲରେ ରାଜି ନ ହେବାରୁ ଯୁବତୀ ଓ ଅର୍ଚ୍ଚନା ସେସବୁ ଭାଇରାଲ୍ କରିଛନ୍ତି ବୋଲି ଶ୍ରୀ ପରିଜା ଅଭିଯୋଗ ଆଣିଥିଲେ।

Leave A Reply

Your email address will not be published.