ରାଜ ଭବନରୁ ଚୋରି
ଭୁବନେଶ୍ୱର : କଡ଼ା ସୁରକ୍ଷା ବଳୟରେ ରହୁଥିବା ରାଜଭବନ ପରିସରରୁ ୩ଟି ବୃହତ ଚନ୍ଦନ ଗଛ ଚୋରି ହୋଇଯାଇଛି। ଏହି ଗଛ ଚୋରି ହେବା ପରେ ରାଜଭବନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁପସ୍ଥିତିରେ ଏହି ମୂଲ୍ୟବାନ ଗଛଗୁଡ଼ିକ ଚୋରି ହୋଇଯିବା ରାଜ୍ୟ ପୁଲିସ୍ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ରାଜଧାନୀର ସବୁଠୁ କଡ଼ା ସୁରକ୍ଷା ବଳୟରେ ରହୁଥିବା ରାଜଭବନ ପରିସରରୁ କିଏ କେମିତି ମୂଲ୍ୟବାନ ଚନ୍ଦନ ଗଛଗୁଡ଼ିକୁ କାଟି ନେଇପାରିଲା ତାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ରାଜଭବନ ପରିସରରୁ ୩ଟି ମୂଲ୍ୟବାନ ଚନ୍ଦନ ଗଛ ଚୋରି ହୋଇଥିବା ନେଇ କ୍ୟାପିଟାଲ ଥାନାରେ ବିଧିବଦ୍ଧ ଅଭିଯୋଗ ହୋଇଛି। ତେବେ ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଆସୁଥିବାରୁ ଏହି ଚୋରି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ରାଷ୍ଟ୍ରପତି ରାଜଭବନରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଥିବାରୁ ଏହି ଚୋରି ଘଟଣାକୁ ଚପାଇ ଦେଇ ରାଜ୍ୟ ପୁଲିସ୍ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଠିକ୍ଠାକ୍ ଅଛି ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛି।