ପରଲୋକରେ ଗୀତିକାର ନିମାଇଁ ମହାନ୍ତି
ବାରିପଦା (ଆମ ଟିଭି): ବର୍ତ୍ତମାନ ସମୟରେ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ଆଉ ନାହାନ୍ତି ଗୀତିକାର ନିମାଇଁ ମହାନ୍ତି । “ଚନ୍ଦ୍ରମା ଆଗୋ ଚନ୍ଦ୍ରମା/ତୁମେ ମେଘ ତଳେ ଲୁଚି ଯାଅନାଟ୍ଟ”ର ଗୀତିକାର ତଥା ବରିଷ୍ଠ ଆଇନଜୀବୀ ନିମାଇଁ ମହାନ୍ତି ଶୁକ୍ରବାର ଅପରାହ୍ନ ୨ଟା ୨୨ ସମୟରେ ତାଙ୍କର ବାରିପଦାର ପୁରୁଣାହାଟସାହିସ୍ଥିତ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ ଅବିବାହିତ ଥିଲେ। ତାଙ୍କ ପିତା ନାରାୟଣ ମହାନ୍ତିଙ୍କର ଗତ ୧୯୯୬ ମସିହା ଡିସେମ୍ବର ମାସରେ ପରଲୋକ ହୋଇଯାଇଥିଲା। ତାଙ୍କ ମାଆ ସୁଧା ଦେବୀଙ୍କ ସମେତ ସମସ୍ତ ପରିବାରବର୍ଗ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ସଙ୍ଗୀତ ରାଜ୍ୟରେ ଅପୂରଣୀୟ କ୍ଷତି ହେଲା ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ଶୋକବାର୍ତ୍ତାରେ କହିଛନ୍ତି।
ନିମାଇଁଙ୍କୁ କଳାର ମାଟି ମୟୂରଭଞ୍ଜର ପାଣି, ପବନ, ଜଙ୍ଗଲ ପାହାଡ଼, ଆକାଶର ଶୋଭାରାଜି ପ୍ରକୃତିର ଉପାସକ ଭାବେ ପରିଚିତ କରାଇଥିଲା। ସେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ସମାପ୍ତ କରିବା ପରେ ବାରିପଦା ଜିଲା କୋର୍ଟ ଓ ଓଡ଼ିଶା ହାଇକୋର୍ଟର ଓକିଲାତି ପେସାରେ ରତ ରହିଥିଲେ। ସେ ମଧ୍ୟ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ଅଧ୍ୟାପକ ତଥା ୨୦୦୧ରୁ ୨୦୧୦ ମସିହା ପର୍ୟ୍ୟନ୍ତ ମୟୂରଭଞ୍ଜ ଜିଲା ସରକାରୀ ଓକିଲ ଭାବେ କାର୍ୟ୍ୟ କରିଛନ୍ତି। ଏଥି ସହିତ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଆଇନ ଉପଦେଷ୍ଟା ମଧ୍ୟ ଥିଲେ। ଓକିଲାତି ଭଳି ଏକ ବ୍ୟସ୍ତବହୁଳ ପେସାରେ ବ୍ୟସ୍ତ ରହି ମଧ୍ୟ ଗୀତିକାର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ଶ୍ରୋତାମାନଙ୍କର ମନ ଜିଣି ପାରିଥିଲେ। ଗୀତ ଲେଖିବା ପାଇଁ ଶବ୍ଦ ସଂଯୋଜନା ନିମନ୍ତେ ତାଙ୍କର ମନପ୍ରାଣ ପାଗଳ ହୋଇ ଉଠୁଥିଲା। ବିଶେଷ କରି ଜହ୍ନକୁ ନେଇ ସେ ବହୁ ଗୀତ ରଚନା କରିଛନ୍ତି।