ବିଧାନସଭା ଆଗରେ ଧାରଣ ଦେବ ବିଜେପି, ବିଜେଡି କହିଲା ହାସ୍ୟାସ୍ପଦ
ଭୁବନେଶ୍ୱର, ୧୭/୧୧ :ପଦ୍ମପୁର ଉପନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଚାଷୀଙ୍କ ପାଇଁ ବିଧାନସଭା ଆଗରେ ଧାରଣା ଦେବାକୁ ବିଜେପିର ଘୋଷଣା ପରେ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି। ଏହା ସହ ଓଡ଼ିଶା ବିଧାନସଭା ସମ୍ମୁଖରେ ଧାରଣା ଦେବା ପରିବର୍ତ୍ତେ ସେମାନେ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣା ଦେବା ଉଚିତ୍ ବୋଲି କହିଛନ୍ତି ।
ଡକ୍ଟର ପାତ୍ର କହିଛନ୍ତି ଯେ, ବିଜେପି ଆଚରଣରୁ ଜଣାପଡୁଛି ସେମାନେ ବୋଧେ ଭୁଲିଯାଇଛନ୍ତି ଯେ କେନ୍ଦ୍ରରେ ସେମାନଙ୍କ ଦଳର ସରକାର ଅଛି ଓ ତାହା ଚାଷୀଙ୍କ ସରକାର । ଧାନ ସଂଗ୍ରହ ଠାରୁ ଆରମ୍ଭକରି ଚାଉଳ ଉଠାଇବା, ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା ଏବଂ ଫସଲ ବୀମା ସମ୍ବନ୍ଧୀୟ ବିଷୟଗୁଡ଼ିକ ହେଉଛି କେନ୍ଦ୍ରର ଦାୟିତ୍ୱ । ଯଦି ବିଜେପି ପାର୍ଲାମେଣ୍ଟ ସମ୍ମୁଖରେ ଏହି ଧାରଣା ଦେବା ସହିତ ନିଜ ସରକାରଙ୍କୁ ଚାଷୀ ବିରୋଧୀ ମନୋଭାବ ଛାଡିବାକୁ କହିବ ତାହା ସବୁଠାରୁ ଭଲ ହେବ। ସସ୍ମିତ ପାତ୍ର ପୁଣି କହିଛନ୍ତି ଯେ, ବିଜେପି ଦଳ ଏବଂ ଏହାର ବିଧାୟକମାନେ ସର୍ବସମ୍ମତି କ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ ଓଡ଼ିଶା ବିଧାନସଭାରେ ୨୦୧୮ ମସିହାରେ ଆସିଥିବା ସଙ୍କଳ୍ପକୁ ବିଜେଡି ଏବଂ କଂଗ୍ରେସର ସମସ୍ତ ବିଧାୟକ ସହିତ ସମର୍ଥନ କରିଥିଲେ । ତେଣୁ ପାର୍ଲାମେଣ୍ଟ ଆଗରେ ଧାରଣା ଦେବା ସହିତ କେନ୍ଦ୍ରରେ ଥିବା ତାଙ୍କର ସରକାରଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବଢାଇବାକୁ ବିଜେପି ଚାପ ସୃଷ୍ଟିକରୁ ବୋଲି ସସ୍ମିତ ପାତ୍ର କହିଛନ୍ତି ।
ବିଜେପି ଦାବି କରିଥିଲା ଯେ, ସେମାନେ କୃଷକଙ୍କ ଏମଏସ୍ପିକୁ ଉତ୍ପାଦନ ମୂଲ୍ୟର ଦେଢ ଗୁଣ ବୃଦ୍ଧି କରିବେ । ସେମାନେ ତାହା କଲେ ନାହିଁ । ସେହିଭଳି ବିଜେପି ସ୍ୱାମୀନାଥନ କମିଶନ ରିପୋର୍ଟ କାର୍ଯ୍ୟକାରୀ କରିବେ ବୋଲି କହିଥିଲା । ସେମାନେ ତାହା କଲେ ନାହିଁ । ବିଜେପି କାହାକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି ବୋଲି ସସ୍ମିତ ପାତ୍ର ପ୍ରଶ୍ନ କରିଛନ୍ତି।