ମୁମ୍ବାଇ(ଆମ ଟିଭି): ବଲିଉଡ଼ ଜଗତରୁ ଆଉ ଏକ ବଡ଼ ଦୁଃଖଦ ଖବର ଆସିଛି । ବଲିଉଡ଼ ଓ ଟିଭିରେ କାମ କରିଥିବା ଲୋକପ୍ରିୟ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ ଘଟିଛି। ବିକ୍ରମ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିଲା। ଗତ କିଛିଦିନ ହେବ ସେ ପୁଣେ ସ୍ଥିତ ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା ଓ ସେ ଭେଣ୍ଟିଲେଟରରେ ଥିଲେ। କିନ୍ତୁ ଏବେ ତାଙ୍କ ବିୟୋଗ ଖବର ସମସ୍ତଙ୍କୁ ଦୁଃଖ ଦେଇଛି।
ବିକ୍ରମ ଗୋଖଲେ ଅନେକ ମରାଠୀ ଏବଂ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ‘ଅଗ୍ନିପଥ’, ‘ହମ ଦିଲ ଦେ ଚୁକେ ସନମ’ ‘ଭୁଲ ଭୁଲୈୟା’, ‘ଦିଲ୍ ସେ’, ‘ଦେ ଦନା ଦନ’, ‘ହିଚ୍କୀ’, ‘ନିକମ୍ମା’ ଏବଂ ‘ମିଶନ ମଙ୍ଗଲ’ ଭଳି ବଲିଉଡର ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ବ୍ୟତୀତ ଅନେକ ଲୋକପ୍ରିୟ ହିନ୍ଦୀ ଧାରାବାହିକରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଥିଲେ।