ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅଧ୍ୟକ୍ଷତାରେ ଆରମ୍ଭ ହେଲା ଗୃହ କାର୍ଯ୍ୟ
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଲୋକସଭାରେ ପ୍ରଥମେ ଦିବଂଗତ ରାଜନେତା, ସାଂସଦ ଏବଂ ପ୍ରମୁଖ ବ୍ୟକ୍ତିତ୍ବଙ୍କ ସ୍ମୃତିଚାରଣ କରି ଅଧିବେଶନ ଆରମ୍ଭ ହୋଇଥିଲା। ଅଧିବେଶନ ଆରମ୍ଭରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଦିବଂଗତ ନେତା ମୁଲାୟମ ସିଂହ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଲାୟମଙ୍କ ସମେତ ଲୋକସଭାର ଅନ୍ୟ ଜଣେ ଦିବଂଗତ ସାଂସଦ, ୮ ଜଣ ପୂର୍ବତନ ଲୋକସଭା ସାଂସଦ ଏବଂ ୬ ଜଣ ରାଜ୍ୟସଭା ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏହାପରେ ଲୋକସଭା ଆଜି ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା। ଅନ୍ୟପକ୍ଷେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ ଉଦ୍ବୋଧନ ଦେବାବେଳେ ଧନଖଡ଼ଙ୍କୁ ଗୃହ ଏବଂ ଦେଶ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଆଜି ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ଦଳ ଏକାଠି କାମ କରିବାପାଇଁ ଅନୁରୋଧ କରିଥିଲେ। ମୋଦୀ କହିଛନ୍ତି, ସବୁ ଦଳର ନେତାମାନେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ଏବଂ ଯୁବ ସାଂସଦଙ୍କ ଯନ୍ତ୍ରଣାକୁ ବୁଝିବା ଉଚିତ। ମୋଦୀ କହିଛନ୍ତି, ଯୁବ ସାଂସଦମାନେ ଆଲୋନଚାରେ ଭାଗ ନେବାପାଇଁ ଚାହୁଛନ୍ତି। ସେମାନଙ୍କୁ ଏଥିପାଇଁ ସୁଯୋଗ ମିଳିବା ଉଚିତ। ମୋଦୀ ମଧ୍ୟ ଆଜି ସଂସଦରେ ଭାରତର ଜି-୨୦ ଅଧ୍ୟକ୍ଷତା ସଂକ୍ରାନ୍ତରେ କହିଛନ୍ତି। ମୋଦୀ କହିଛନ୍ତି, ଭାରତର ଜି-୨୦ ଅଧ୍ୟକ୍ଷତା କେବଳ ଏକ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ। ସମଗ୍ର ବିଶ୍ବ ଆଗରେ ଭାରତର ଦକ୍ଷତାକୁ ଦେଖାଇବାପାଇଁ ଏହା ଏକ ସୁଯୋଗ। ଲୋକସଭାରେ ମଧ୍ୟ ସରକାର ଏ ନେଇ ବୟାନରେ କହିଛନ୍ତି ଯେ ଜି-୨୦ ଅଧ୍ୟକ୍ଷତା ମାଧ୍ୟମରେ ଭାରତ ଅନ୍ତର୍ଜାତୀୟ ପ୍ରସଙ୍ଗରେ ନିଜର ମତକୁ ଅତି ସୁଦୃଢ଼ ଭାବେ ରଖିପାରିବ।