ହିମାଚଳରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ପ୍ରିୟଙ୍କା
ଶିମଲା: ମଲ୍ଲିକାର୍ଜୁନ ଖାଡଗେ, ସୋନିଆ ଗାନ୍ଧି କିମ୍ବା ରାହୁଲ ଗାନ୍ଧି ନୁହନ୍ତି, ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ନିଷ୍ପତ୍ତି ନେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା। ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ ଆସନ ଜିତି ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିଛି। ହେଲେ ମୁଖ୍ୟମନ୍ତ୍ରୀ ପଦ କିଏ ପାଇବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଶୁକ୍ରବାର ନବ ନିର୍ବାଚିତ ବିଧାୟକଙ୍କ ବୈଠକ ବସିଥିଲା। ହେଲେ ଏହି ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନି। ବିଧାୟକମାନେ ହାଇକମାଣ୍ଡଙ୍କ ଉପରେ ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱ ଛାଡ଼ିଛନ୍ତି।
ମୁଖ୍ୟମନ୍ତ୍ରୀ ପଦ ପାଇବା ଦୌଡ଼ରେ ପ୍ରତିଭା ସିଂହ, ସୁଖବିନ୍ଦର ସିଂହ ସୁଖୁ ଓ ମୁକେଶ ଅଗ୍ନିହୋତ୍ରୀ ରହିଛନ୍ତି। ଏମାନଙ୍କୁ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ। ପ୍ରତିଭା ସିଂହ ଏହି ରେସ୍ରେ ସବୁ ଠାରୁ ଆଗରେ ଅଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ଶୁକ୍ରବାର ବିଧାୟକ ଦଳ ବୈଠକ ପୂର୍ବରୁ ହାଇକମାଣ୍ଡଙ୍କ ଆଗରେ ନିଜର ଶକ୍ତି ପ୍ରଦର୍ଶଦନ କରିଥିଲେ।
ହେଲେ ଏବେ ହିମାଚଳ ବିଧାନସଭା ନିର୍ବାଚନରେ କଂଗ୍ରେସ ମଙ୍ଗ ସମ୍ଭାଳି ଦଳକୁ ଜିତାଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ପ୍ରିୟଙ୍କା ନୂଆ କରି କଂଗ୍ରେସ ସଭାପତି ହୋଇଥିବା ମଲ୍ଲିକାର୍ଜୁନ ଖାଡଗେଙ୍କୁ ସାଥୀ କରି ହିମାଚଳ ପ୍ରଦେଶରେ ପ୍ରଚାର କରିଥିଲେ।
ସେ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ବେଶ ଭଲ ଭାବେ ବିଜେପିକୁ କାଉଣ୍ଟର କରିଥିଲେ। ତାଙ୍କ ରଣନୀତି ଯୋଗୁ କଂଗ୍ରେସ ହିମାଚଳରେ ଜିତିଥିବା ଅନେକ ବରିଷ୍ଠ ନେତା ମତ ରଖିଛନ୍ତି।