ଋଷ ସେନା ଶିବିର ଉପରକୁ ଆକ୍ରମଣ କଲା ୟୁକ୍ରେନ
କିବ୍: ରୁଷ୍ ନିୟନ୍ତ୍ରଣରେ ଥିବା ଲୁହାନସ୍କରେ ରୁଷ୍ର ସେନା ଶିବିର ଉପରେ ୟୁକ୍ରେନ୍ ଆକ୍ରମଣ କରିଛି। ପୂର୍ବ ୟୁକ୍ରେନରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୟୁକ୍ରେନ ବାହିନୀ ରୁଷ୍ର ଘରୋଇ ୱାଗନେର ସେନା ସଦସ୍ୟ ରହୁଥିବା ଏକ ହୋଟେଲ୍ ଉପରେ ଆକ୍ରମଣ କରିଛନ୍ତି। ଏଥିଯୋଗୁଁ ରୁଷ୍ ସେନାର ଅନେକ ସଦସ୍ୟ ନିହତ ହୋଇଥିବା କୁହାଯାଉଛି। ମିଳିଥିବା ସୂଚନାନୂଯାୟୀ ଶନିବାର ଦିନ କାଡିଭକାରେ ରୁଷ୍ ସେନା ଉପରେ ଆକ୍ରମଣ ହୋଇଥିଲା। ହୋଟେଲ୍ରେ ଥିବା ସେନା ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ସୈନିକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କିନ୍ତୁ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନି।
ଅନ୍ୟପକ୍ଷେ ଓଡ଼େଶା ଏବଂ ମେଲିଟୋପୋଲ୍ରେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି। ବନ୍ଦର ସହର ଓଡ଼େଶା ଉପରେ ରୁଷ୍ ଭୟଙ୍କର ଆକ୍ରମଣ କରୁଛି। ଶକ୍ତି ଭିତ୍ତିଭୂମି ଉପରେ ରୁଷ୍ର ଆକ୍ରମଣ ଯୋଗୁଁ ଓଡ଼େଶାରେ ୧୦ ଲକ୍ଷରୁ ଅଧିକ ଲୋକ ଏବେ ଅନ୍ଧାରରେ ଅଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ଓଡ଼େଶାରେ ଏବେ ସ୍ଥିତି ଅତ୍ୟନ୍ତ ଜଟିଳ ରହିଛି। ଇରାନ ନିର୍ମିତ ଡ୍ରୋନ୍ ଦ୍ବାରା ରୁଷ୍ ୟୁକ୍ରେନର ପ୍ରମୁଖ ଭିତ୍ତିଭୂମି ଉପରେ ଆକ୍ରମଣ କରୁଛି ବୋଲି ଜେଲେନ୍ସ୍କି କହିଛନ୍ତି।