ଥାନାରେ ପଶି ପୁଲିସ ଅଧିକାରୀଙ୍କୁ ଗୁଳି ମାରିଲା ଅପରାଧୀ

0

ଲଖନଉ: ଉତ୍ତରପ୍ରଦେଶର ବରେଲିରେ ଅପରାଧୀଙ୍କ ସାହସ ବଢ଼ିବାରେ ଲାଗିଛି । ଅପରାଧୀଙ୍କ ସାହସ ଏତେ ବଢିଯାଇଛି ଯେ ସେମାନେ ଥାନାରେ ପଶି ପୁଲିସ ଉପରକୁ ଆକ୍ରମଣ କରିଛନ୍ତି । ବାସ୍ତବରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ପୁଲିସ ଷ୍ଟେସନରେ ପଶି ଜଣେ କନେଷ୍ଟବଳଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ | ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୁଳିମାଡ ପରେ ଅପରାଧୀମାନେ ଫେରାର ହେଇଯାଉଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମିଳିଥିବା ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ଦୁଇଜଣ ଅପରାଧୀ ଏକ ବାଇକରେ ଆସି ନାକାଟିଆ ପୁଲିସ ଷ୍ଟେସନରେ ପହଞ୍ଚିଥିଲେ ।

ଏହାପରେ ଦୁଇ ଅପରାଧୀ ଜଣେ ସବ-ଇନ୍ସପେକ୍ଟରଙ୍କ ବାବଦରେ କନେଷ୍ଟବଳ ବିଶାଲ ଶର୍ମାଙ୍କୁ ପଚାରିଥିଲେ । ଏହାପରେ କନେଷ୍ଟବଳ ବିଶାଲଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ପୁଲିସ ଷ୍ଟେସନ ବାହାରେ ଲାଗିଥିବା ସିସିଟିଭିରେ ଦୁଇ ଅପରାଧୀଙ୍କ ଫୁଟେଜ କଏଦ ହୋଇଛି। ଏହି ଘଟଣାକୁ ନେଇ ଏସଏସପି ଅଖିଳେଶ ଚୌରାସିଆ କହିଛନ୍ତି ଯେ ଯୁବକ ଦୁଇଜଣ ମଦ୍ୟପାନ କରି ଥାନାକୁ ଆସି ଜଣେ ସବ-ଇନ୍ସପେକ୍ଟରଙ୍କ ବାବଦରେ ପଚାରିଥିଲେ । ଉପସ୍ଥିତ କନେଷ୍ଟବଳ ଜାଣିନଥିବାର କହିବା ପରେ ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ବର୍ତ୍ତମାନ କନେଷ୍ଟବଳଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ଖୁବ୍ ଶୀଘ୍ର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ।

Leave A Reply

Your email address will not be published.