ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ, ବିଜେପି ସଭାପତି ନଡ୍ଡା

0

 ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରକୁ ସମାଲୋଚନା କରିବା ସହ ଏପରି ସରକାର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଓଡ଼ିଶାରେ କିଏ ସରକାର ଚଳାଉଛନ୍ତି ତାହା ଜଣାପଡ଼ୁନାହିଁ ବୋଲି ସେ କହିଛନ୍ତି ।

ତୁମୁଡ଼ିବନ୍ଧରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ନବୀନ ସରକାର ଶୋଇ ରହିଥିବା ପରି ଲାଗୁଛି । ପ୍ରଭୁ ଜଗନ୍ନାଥର ରତ୍ନଭଣ୍ଡାର ସୁରକ୍ଷା କାହିଁକି କରାଯାଉନାହିଁ ଓ ଏହାର ଚାବି କୁଆଡେ ହଜିଗଲା ? ୪ ବର୍ଷରେ ଓଡ଼ିଶା ବିଶ୍ବବିଦ୍ୟାଳୟ ଖୋଲିବା କହିଥିଲେ, ତାହା କୁଆଡ଼େ ଗଲା ? ନୟାଗଡ଼ର ଚିନକଳ ଖୋଲିବା କଥା କହିଥିଲେ, କିନ୍ତୁ ତାହା ବି ହୋଇପାରିଲା ନାହିଁ । ଏହା କିପରି ଶୋଇରହିଥିବା ସରକାର ? କିଏ ସରକାର ଚଳାଉଛି ତାହା ଜଣାପଡୁନାହିଁ । ମହିଳା ବିରୋଧୀ ଅପରାଧରେ ଓଡ଼ିଶାରେ ଦ୍ବିଗୁଣ ହୋଇଗଲାଣି । ଓଡ଼ିଶାରେ ମାନବ ଚାଲାଣ ବଢିଚାଲିଛି । ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ହେଉଛି । ଅପରାଧୀମାନେ ଏବେ ପୁଲିସ ଉପରେ ବି ଆକ୍ରମଣ କରୁଛନ୍ତି । ଅର୍ଥାତ ରକ୍ଷକ ଉପରେ ବି ଆକ୍ରମଣ ହେଉଛି । ଏପରି ସରକାର ରହିବା ଉଚିତ କି ?

ଗୋଟିଏ ପଟେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିବାବେଳେ ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଗୁଣଗାନ କରିଛନ୍ତି ନଡ଼୍ଡା । ସେ କହିଛନ୍ତି, ଆଇଏମଏଫର ରିପୋର୍ଟ ଅନୁସାରେ ଭାରତରେ ଏବି ଅତି ଗରିବ ସଂଖ୍ୟା ୧ ପ୍ରତିଶତରୁ କମ୍ ରହିଯାଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାର ଏହା ସୁଫଳ । ଜନଧନ ଯୋଜନାରେ ୪୬ କୋଟି ଜନତାଙ୍କ ବ୍ୟାଙ୍କ ଖାତାରେ ସରକାରୀ ଅର୍ଥ ପହଞ୍ଚୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.