ଚୀନ ଦେଲା ଭାରତକୁ ଶାନ୍ତି ପ୍ରସ୍ତାବ
ୱାସିଂଟନ୍: ପରିସ୍ଥିତିକୁ ଶାନ୍ତ କରିବା ସହିତ ସୀମାନ୍ତରେ ମିଳିତଭାବେ ଶାନ୍ତି ରକ୍ଷା କରିବା ପାଇଁ ଉଭୟ ପକ୍ଷ ଆଗ୍ରହୀ ବୋଲି ଭାରତ ଓ ଚୀନ୍ ସୀମାନ୍ତ ପ୍ରସଙ୍ଗରେ ଚୀନ୍ର ନୂଆ ବୈଦେଶିକ ମନ୍ତ୍ରୀ କ୍ବିନ୍ ଗାଙ୍ଗ୍ କହିଛନ୍ତି।
ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକାରେ ଚୀନ୍ର ରାଷ୍ଟ୍ରଦୂତ ଥିବା କ୍ବିନ୍ ଗାଙ୍ଗ୍ ଗତ ସପ୍ତାହରେ ଦେଶର ନୂଆ ରାଷ୍ଟ୍ରଦୂତ ଭାବେ ନାମିତ ହୋଇଛନ୍ତି। ସମ୍ପ୍ରତି ଚୀନ୍ର ବୈଦେଶିକ ମନ୍ତ୍ରୀ ଥିବା ୱାଙ୍ଗ୍ ୟିଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯିବ।
ଦେଶର ବିଦାୟୀ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ସ୍ଥାନ ଗ୍ରହଣ କରିବା କିଛି ଦିନ ଆଗରୁ ଯୁକ୍ତରାଷ୍ଟ୍ର ଆମେରିକୀୟ ପତ୍ରିକା ‘ଦି ନ୍ୟାସ୍ନାଲ୍ ଇଣ୍ଟରେଷ୍ଟ୍’ର ସମ୍ପାଦକୀୟ ଓ ଅଭିମତ ପୃଷ୍ଠାରେ ‘ବିଶ୍ବ ପ୍ରତି ଚୀନ୍ର ଆଭିମୁଖ୍ୟ’ ଶୀର୍ଷକ ଆଲେଖ୍ୟରେ ଚୀନ୍ର ନୂଆ ବୈଦେଶିକ ମନ୍ତ୍ରୀ କ୍ବିନ୍ ଗାଙ୍ଗ୍ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଭାରତ ଓ ଚୀନ୍ ସୀମାନ୍ତ ଅଞ୍ଚଳର ସ୍ଥିତାବସ୍ଥା ଭଙ୍ଗ କରିବା ପାଇଁ ଚୀନ୍ ଉଦ୍ୟମ କରୁଛି ବୋଲି ଯାହା କଳ୍ପନାଜଳ୍ପନା ଚାଲିଛି, ତାହାର ସ୍ପଷ୍ଟୀକରଣ ଦେବାକୁ ଯାଇ ସେ ଦୁଇ ଦେଶର ସମ୍ପର୍କ କଥା ଉଠାଇଥିଲେ।