ଡେରାଡୁନ (ଆମ ଟିଭି): ପତଞ୍ଜଳୀ ଦ୍ରବ୍ୟ ଉପରେ ଲାଗିଲା ରୋକ । ଉତ୍ତରାଖଣ୍ଡ ଆୟୁର୍ବେଦ ଓ ୟୁନାନି ଲାଇସେନସିଂ ଅଥରିଟି ରାମଦେବ ବାବାଙ୍କ ଦିବ୍ୟ ଫର୍ମାସୀଙ୍କୁ ୫ଟି ଔଷଧର ଉତ୍ପାଦନ ତତ୍କାଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡା ଅଥରିଟି ଏହି ୫ଟି ଔଷଧର ସଂଶୋଧିତ ଫର୍ମୂଲେସନ ସିଟ୍ ଉପସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଦିବ୍ୟ ଫର୍ମାସୀ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ପ୍ରଡକ୍ଟ ଉତ୍ପାଦନ କରୁଛନ୍ତି। ଏହି ଔଷଧ ଗୁଡିକ ରକ୍ତଚାପ, ମଧୁମେହ ସମେତ ଅନେକ ଜଟିଳ ବେମାରୀ ସହ ସମ୍ବଦ୍ଧିତ।
ଦିବ୍ୟ ଫର୍ମାସୀର ବିପିଗ୍ରିଟ୍, ମଧୁ ଗ୍ରିଟ୍, ଥାୟରୋ ଗ୍ରିଟ୍, ଲିପିଡୋମ ଟାବଲେଟ୍, ଆଇ ଗ୍ରିଟ୍ ଗୋଲ୍ଡ ଟାବଲେଟ୍କୁ କ୍ରମଶଃ ବ୍ଲଡ ପ୍ରେସର, ଡାୟବେଟିଜ୍, ଗୋଇଟର, ଗ୍ଲୁକୋମା ଓ ହାଇକୋଲେଷ୍ଟ୍ରଲ ଔଷଧ କହି ବିକ୍ରି କରୁଛନ୍ତି। ତେବେ ଡ୍ରଗ ଲାଇସେନସିଂ ଅଥରିଟି ଏବେ ଏହାର ପ୍ରଡକ୍ସନ ଅଟକାଇ ଦେଇଛନ୍ତି। ଏହା ଛଡା ଅଥରିଟି ସଂଶୋଧିତ ଫର୍ମୂଲେସନ ରିପୋର୍ଟ ମଧ୍ୟ ମାଗିଛନ୍ତି। କୁହାଯାଇଛି ଯେଉଁ ପର୍ୟ୍ୟନ୍ତ ନୂଆ ଫର୍ମୂଲେସନକୁ ମଞ୍ଜୁରୀ ନ ମିଳିଛି ସେ ପର୍ୟ୍ୟନ୍ତ ଏହି ସବୁ ଔଷଧର ଉତ୍ପାଦନ ହେବ ନାହିଁ। ଅଥରିଟିଙ୍କ ଦ୍ୱାରା ଗଠିତ ପ୍ୟାନେଲ ପୂର୍ବରୁ ଉତ୍ପାଦଗୁଡିକର ମୂଳ ଫର୍ମୂଲେସନ ସିଟ୍ ଓ ଲେବୁଲ ଦାବିର ଯାଞ୍ଚ କରିସାରିଛନ୍ତି। ପତଞ୍ଜଳିଙ୍କ ଏହି ସବୁ ଔଷଧକୁ ନେଇ କେରଳର ଜନୈକ ଡାକ୍ତର କେ.ଭି ବାବୁ ଅଭିଯୋଗ କରିଥିଲେ।