ରାଜ୍ୟ କଂଗ୍ରେସରେ ମୋକିମ-ଶରତ ମଧ୍ୟରେ ଶୀତଳ ଯୁଦ୍ଧ
ଭୁବନେଶ୍ବର(ଆମ ଟିଭି): ରାଜ୍ୟ କଂଗ୍ରେସରେ ଜାରି ରହିଛି ଶୀତଳ ଯୁଦ୍ଧ। ବଢୁଛି ପିସିସି ସଭାପତି ଓ ମହମ୍ମଦ ମୋକିମଙ୍କ ମଧ୍ୟରେ ବିବାଦ । ଗତକାଲି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଗିରିବାଳା ବେହେରାଙ୍କୁ ହଟାଇ ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦେଇଥିଲେ ସୁପ୍ରିମୋ। ନୂଆ ଦାୟିତ୍ୱ ପରେ ଆଜି କଟକ ଜିଲ୍ଲାର ସମସ୍ତ ଦଳୀୟ କିମିଟି ଭାଙ୍ଗିଛନ୍ତି ସୁରେଶ ମହାପାତ୍ର। ତେବେ ଦଳକୁ ଦୁର୍ବଳ ନୁହେଁ ସୁଦୃଢ କରିବା ପାଇଁ ଏହା ଏକ ପଦକ୍ଷେପ ବୋଲି କହିଛନ୍ତି ଶରତ ।
ତେବେ ଗିରିବାଳା ବେହେରାଙ୍କୁ ପଦରୁ ହଟାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପିସିସି ସଭାପତି କହିଛନ୍ତି, କାହାର ପକ୍ଷ ଛେଦନ ହୋଇନାହିଁ କି, ଖରାପ କାର୍ଯ୍ୟ ଯୋଗୁଁ କାହାକୁ ପଦରୁ ହଟାଯାଇନାହିଁ । କଂଗ୍ରେସକୁ ସୁଦୃଢ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଅନ୍ୟ କିଛି କାରଣ ନାହିଁ । ପୁରୀ, ଝାରସୁଗୁଡାରେ ମଧ୍ୟ ଜିଲ୍ଲା ସଭାପତିଙ୍କୁ ପରିବର୍ତ୍ତନ କରାଯାଇଛି । କଂଗ୍ରେସ ଗୋଟିଏ ଜାତୀୟ ଦଳ ଏଠି ସମସ୍ତ ସମସ୍ତ ନିଷ୍ପତ୍ତି ହାଇକମାଣ୍ଡ ନିଅନ୍ତି । ବ୍ୟକ୍ତିଗତ ଭାବେ ମୋର ମୋକିମଙ୍କ ସହ ଭଲ ସମ୍ପର୍କ । ଶରତ ପଟ୍ଟନାୟକ ପିସିସି ସଭାପତି ଭାବେ ଦାୟିତ୍ୱ ନେବା ପରେ ମୋକମ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା । ଶରତ ପଟ୍ଟନାୟକଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମକୁ ମୋକିମ ନଯିବା, ଦଳ ବିରୋଧରେ ଯାଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେବା ଆଦି ଘଟଣା ଏହି ବିବାଦ ଭିତରେ ଆହୁରି ତିକ୍ତତା ବଢାଇ ଥିଲା । ନିକଟରେ କଂଗ୍ରେସର ଅନେକ କର୍ମୀ ଦଳରୁ ଇସ୍ତଫା ଦେବା ପରେ ଏହି ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଇସ୍ତଫା ଦେଇଥିବା କର୍ମୀମାନେ ମହମ୍ମଦ ମୋକିମଙ୍କ ବେଶ ନିକଟତର ଥିଲେ । ତେବେ କଟକରେ ଦଳର ମଙ୍ଗ ଧରିଥିବା ସୁରେଶ ମହାପାତ୍ର ସଂଗଠନକୁ କିପରି ସଜାଡୁଛନ୍ତି ତାକୁ କର୍ମୀମାନେ ଅପେକ୍ଷା କରି ରହିଛନ୍ତି ।