ଧର୍ମକୁ ନେଇ ବିବାଦ ଥାନାରେ ମାମଲା
ମିରଠ: କୋଭିଡ ସଂକ୍ରମଣ ଜନିତ ଲକଡାଉନ୍ ସମୟରେ ସହାୟତା ବଦଳରେ ନଅ ଜଣଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।ଏହି ଘଟଣା ଉତ୍ତରପ୍ରଦେଶର ମିରଠ ଅଞ୍ଚଳରେ ଘଟିଛି। ସ୍ଥାନୀୟ ବିଜେପି ନେତା ଧର୍ମପରିବର୍ତ୍ତନ କରାଯାଇଥିବା ଅଭିଯୋଗକାରୀଙ୍କୁ ଏକତ୍ର କରିବା ପରେ ଉତ୍ତରପ୍ରଦେଶ ପୁଲିସ ଶୁକ୍ରବାର ଦିନ ଏକ ମାମଲା ରୁଜୁ କରିଛି।
କୋଭିଡ୍ ଲକଡାଉନ୍ ସମୟରେ ବସ୍ତି ବାସିନ୍ଦା ବାହାରକୁ ଯାଇ ପାରିଲେ ନାହିଁ ଏବଂ ନିଜ ଘର ଚଳାଇବା ଲାଗି ସଂଘର୍ଷ କରୁଥିଲେ | ଉକ୍ତ ଅଞ୍ଚଳର କିଛି ଧନାଢ଼୍ୟ ସେମାନଙ୍କୁ ଘର ଖର୍ଚ୍ଚ ପାଇଁ ଖାଦ୍ୟ ଏବଂ ଟଙ୍କା ପ୍ରଦାନ କରିଥିଲେ ବୋଲି ଅଭିଯୋଗକାରୀ ପୁଲିସକୁ କହିଛନ୍ତି।
ତେବେ, ଯେଉଁମାନେ ସାହାଯ୍ୟ କରିଥିଲେ ସେମାନେ ପରେ ବସ୍ତିବାସିନ୍ଦାଙ୍କୁ କହିବା ଆରମ୍ଭ କଲେ ଯେ କେବଳ ଜଣେ ଈଶ୍ବର ଅଛନ୍ତି ଭଗବାନ୍ ଯୀଶୁ ଖ୍ରୀଷ୍ଟ। ଏଥିସହ ଚର୍ଚ୍ଚ ପରିଦର୍ଶନ କରି ଯୀଶୁଙ୍କ ନିକଟରେ ପ୍ରାର୍ଥନା କରିବାକୁ କହିଥିଲେ। ଏଫଆଇଆରରେ ଦର୍ଶାଯାଇଛି ଯେ ଅଭିଯୋଗକାରୀଙ୍କୁ ହିନ୍ଦୁ ଉପାସନା ବନ୍ଦ କରିବାକୁ କୁହାଯାଇଛି। ବସ୍ତିବାସିନ୍ଦାଙ୍କୁ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ନଷ୍ଟ କରିବାକୁ ବାଧ୍ୟ କରାଯାଇଥିଲା ବୋଲି ଦାଖଲ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି।