ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୨-୨୩ ବର୍ଷ ପାଇଁ ୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ୍
ଭୁବନେଶ୍ବର(ଆମ ଟିଭି) : ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ। ତେବେ ପ୍ରଥମ ଦିନରେ ଉପସ୍ଥାପିତ ହେଲା ୨୦୨୨-୨୩ ବର୍ଷ ପାଇଁ ୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ୍ । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ଏହି ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ପୂର୍ବ କିଛି ବର୍ଷ ପରି ଏଥର ମଧ୍ୟ ବଜେଟକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ବଜେଟର ପ୍ରଥମ ଭାଗ କୃଷି ବଜେଟ ହୋଇଥିବାବେଳେ ଦ୍ବିତୀୟ ଭାଗ ସାଧାରଣ ବଜେଟ କୁହାଯାଉଛି । ୨ ଲକ୍ଷ କୋଟିର ଏହି ବଜେଟକୁ ଅର୍ଥମନ୍ତ୍ରୀ ଏକ ଐତିହାସିକ ବଜେଟ ବୋଲି କହିଛନ୍ତି। ଗତ ୨୨ ବର୍ଷ ମଧରେ ବଜେଟର ପରିମାଣ ୧୭ ଗୁଣା ବୃଦ୍ଧିପାଇଛି ଓ ବିଭିନ୍ନ କାର୍ଯ୍ୟକ୍ରମ ନିମିତ୍ତ ବ୍ୟୟ ୨୮ ଗୁଣା ବୃଦ୍ଧି ପାଇଛି ବୋଲି ନିଜ ଅଭିଭାଷଣରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟ ସରକାର କରିଥିବା ୨ ଲକ୍ଷ କୋଟିର ବ୍ୟୟ ଅଟକଳ ନିମନ୍ତେ ରାଜସ୍ୱ ପ୍ରାପ୍ତି ରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ସଂଗ୍ରହ କରାଯିବ ଓ ଋଣ ତଥା ଏବଂ ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ସଂଗ୍ରହ କରାଯିବ । ସେହିପରି ମନ୍ଦିର ଗୁଡିକର ବିକାଶ ମଧ୍ୟ ସରକାରଙ୍କ ଫୋକସରେ ରହିବ । ଏଥିପାଇଁ ୧ ହଜାର ୯୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାସ୍ତା ନଥିବା ଗାଁ କୁ ରାସ୍ତା କରିବା ଲାଗି ୧୫୦ କୋଟି ଟଙ୍କାର ବ୍ୟୟ ବରାଦ । ପ୍ରତ୍ୟେକ ବ୍ଲକ ରେ ବସ ଷ୍ଟାଣ୍ଡ କରିବା ପାଇଁ ନିଷ୍ପତ୍ତି । ବ୍ଲକ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କ୍ରୀଡା ପ୍ରକଳ୍ପ କରିବା ପାଇଁ ଘୋଷଣା କରାଯାଇଛି । ବସୁଧା ଯୋଜନାରେ ୧୮୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ନୂଆ ସହର ବିକାଶ ସ୍କିମରେ ୩୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ବିଜୁ ପକ୍କା ଘର ପାଇଁ ୫ ହଜାର ୯୦୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମିଶନ ଶକ୍ତି ବିଭାଗ ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଶକ୍ତି କ୍ଷେତ୍ର ୩ ହଜାର ୪୮୨ କୋଟି ଟଙ୍କାର ବ୍ୟୟ ବରାଦ ରହିଥିବା ବେଳେ ଗୃହ ବିଭାଗ ପାଇଁ ୭ ହଜାର ୫୫୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।