ଧରା ପଡିଲା ମଣିଷ ଖିଆ ବାଘ
ନୂଆପଡ଼ା: ଶେଷରେ ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ (କଲରାପତିରିଆ)। ଗତ ୫ ଦିନ ଧରି ନୂଆପଡ଼ା ଜିଲ୍ଲାରେ ଉତ୍ପାତ ଚଳାଇଥିବା ଏହି ବାଘ ଆଜି ସନ୍ଧ୍ୟା ବେଳେ କୋଦୋପାଲି ଗାଁକୁ ଆସିଥିଲା ବେଳେ ଧରାପଡ଼ିଛି। ଗାଁରେ ବୁଲୁଥିବା ବେଳେ ଗ୍ରାମବାସୀ ପାଟି କରିବାରୁ ବାଘ ଗାଁର ଜିରାଖଣ୍ଡ ସାହୁଙ୍କ ଘର ଭିତରେ ପଶି ଯାଇଥିଲା। ଉକ୍ତ ଘରେ କେହି ରହୁନଥିଲେ ଓ ତାହା ଖାଲି ପଡ଼ିଥିଲା। ଗ୍ରାମବାସୀ ସଙ୍ଗେସଙ୍ଗେ ଘର କବାଟ ବନ୍ଦ କରି ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ବାଘକୁ ଗ୍ୟାସ୍ ପ୍ରୟୋଗ କରି ଚେତାଶୂନ୍ୟ କରିଥିଲେ। ଏହାପରେ ଏହାକୁ ଯନ୍ତାରେ ନେଇଯାଇଛନ୍ତି। ୪ ଦିନ ତଳେ ଜଣେ ବାଳକକୁ ମାରିଥିବା ଏହି ବାଘ ଗତକାଲି ସନ୍ଧ୍ୟାରେ ଧରମବନ୍ଧା ଥାନା ସିଲିଆରିବାହାର ଗାଁର ଜଣେ ମହିଳାଙ୍କୁ ଝାମ୍ପି ନେଇ ମୁଣ୍ଡଗଣ୍ଡି ଅଲଗା କରିଦେଇଛି।
ସେହିପରି ଶନିବାର ଧରମବନ୍ଧା ଥାନା କୋଦୋପାଲି ଗାଁର ଜଣେ ୮ବର୍ଷ ବୟସର ବାଳକକୁ ଆକ୍ରମଣ କରି ଖଣ୍ଡିଆଖାବରା କରିଛି। ଶନିବାର ଜଙ୍ଗଲରୁ ମୃତ ମହିଳାଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ଅଲଗା ସ୍ଥାନରୁ ଉଦ୍ଧାର କରାଯାଇଛି। ମାତ୍ର ୫ ଦିନ ବ୍ୟବଧାନରେ ଦୁଇଜଣଙ୍କୁ ବାଘ ମାରିବା ଏବଂ ଜଣଙ୍କୁ ଆକ୍ରମଣ କରିବା ଘଟଣା ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ଆଜି ବନ ବିଭାଗ ଓ ପୁଲିସ କର୍ମଚାରୀ ମହିଳାଙ୍କ ଶବ ଆଣିବାକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରାଉ କରିଥିଲେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲେ। ପ୍ରତିଶ୍ରୁତି ମିଳିବା ପରେ ସେମାନେ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିଥିଲେ।