ସ୍ନାନଯାତ୍ରାରେ ମୁକ୍ତିଲାଭ କଲା ନୂଆ ଭଜନ ‘ତୋ ପାଖେ ଯାଉ ଜୀବନ ସରି’

0

ଭୁବନେଶ୍ୱର(ଆମ ଟିଭି):  ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ‘ଶୋଭା ମ୍ୟୁଜିକ୍ ଓଡ଼ିଆ’ ୟୁଟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଜଗନ୍ନାଥ ଭଜନ ‘ତୋ ପାଖେ ଯାଉ ଜୀବନ ସରି’ । ପୂର୍ବରୁ ସଙ୍ଗୀତପ୍ରେମୀଙ୍କୁ ଅନେକ ହିଟ୍ ଗୀତ ଭେଟି ଦେଇଥିବା ଲୋକପ୍ରିୟ ନିର୍ଦ୍ଦେଶକ ଅଭିଜିତ୍ ତ୍ରିପାଠୀ ଏହି ଭଜନଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । କାହାଣୀ ସହ ମ୍ୟୁଜିକ ଭିଡିଓଟିକୁ ନିର୍ଦ୍ଦେଶନା ଦେଇଛନ୍ତି ସ୍ମୃତି ଆର୍ । ଗୀତିକାର କୃପାରାଣୀ ଧଳଙ୍କ ଲିଖିତ ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ସୌରଭ ଭରଦ୍ୱାଜ । ମୁଖ୍ୟ ଚରିତ୍ରରେ ସୌଭାଗ୍ୟ ରଞ୍ଜନ ମିଶ୍ର ଅଭିନୟ କରିଥିବା ବେଳେ ସହକଳାକାର ଭାବେ ଅଭିନୟ କରିଛନ୍ତି ଶୁଭଶ୍ରୀ ଏବଂ ମାନସ ।

ଏହି ଭଜନଟିରେ ଏକ ସୁନ୍ଦର କାହାଣୀ ଉପସ୍ଥାପନା କରିଛନ୍ତି ନିର୍ଦ୍ଦେଶକ ସ୍ମୃତି ଆର୍ । ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ବାପାର ଶେଷ ଇଚ୍ଛାକୁ ପୁଅ ପୂରଣ କରିବାକୁ ପ୍ରୟାସ କରୁଛି । ପୈତୃକ ଜମିଟିକୁ ଗ୍ରାମର ଜମିଦାର ଛଡାଇ ନେବାକୁ କୁଚକ୍ରାନ୍ତ କରୁଛି କିନ୍ତୁ ପୁଅ ବାପାକୁ ଦେଇଥିବା କଥା ପୂରଣ କରିବାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି । ମନ୍ଦିରଟିଏ ଗଢି ତୋଳିବାକୁ ପୁଅର ପ୍ରୟାସ ମଧ୍ୟ ଶେଷରେ ସମ୍ପୂର୍ଣ୍ଣ ହୋଇଛି । ପାଖରେ ଅର୍ଥ ଅଭାବ ଥିବା ବେଳେ ମଧ୍ୟ କାଳିଆ ଠାକୁର ସବୁବେଳେ କୃପା ବର୍ଷା କରୁଛନ୍ତି ଏହି ପରିବାର ଉପରେ । ଏପରି ଏକ ସୁନ୍ଦର କଥାବସ୍ତୁକୁ ନେଇ ନିର୍ମାଣ ହୋଇଛି ୮ ମିନିଟର ଏହି ଭକ୍ତିଭରା ଭଜନ ‘ତୋ ପାଖେ ଯାଉ ଜୀବନ ସରି’।

ପବିତ୍ର ସ୍ନାନ ପୂର୍ଣ୍ଣମୀ ଅବସରରେ ମୁକ୍ତିଲାଭ କରିଥିବା ଏହି ଭଜନଟି ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କୁ ହୃଦୟକୁ ନିଶ୍ଚେ ଛୁଇଁବ ବୋଲି ଆଶାବାଦୀ ଅଛନ୍ତି ‘ତୋ ପାଖେ ଯାଉ ଜୀବନ ସରି’ର ପ୍ରଯୋଜିକା ସ୍ୱପ୍ନାରାଣୀ । ଆଗକୁ ବାହୁଡାଯାତ୍ରା ଅବସରରେ ଗୀତଟିର ଷ୍ଟୁଡିଓ ଭର୍ସନ ମଧ୍ୟ ‘ଶୋଭା ମ୍ୟୁଜିକ୍ ଓଡ଼ିଆ’ ୟୁଟୁବ୍ ଚ୍ୟାନେଲରେ ଉପଲବ୍ଧ ହେବ । କେବଳ ସେତିକି ନୁହେଁ, ଏହା ପରେ ଆହୁରୀ ଅନେକ ଭିନ୍ନ ସ୍ୱାଦର ଗୀତ ଦର୍ଶକଙ୍କୁ ଉପହାର ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ପୂରା ଟିମ୍ ।

Leave A Reply

Your email address will not be published.