ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆଁ ପ୍ରୟାସ

0

ଭୁବନେଶ୍ୱର:ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲ୍ ରୁ ଆଉ ପାଦେ ଆଗେଇ ନିଜର ନୂଆ ଟି.ଭି.ଓ.ଡି. ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସିନେମା ଦୁନିଆରେ ଉପସ୍ଥାପନ କରିଛି ।

ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତା ପାରମ୍ପରିକ ସିନେମା ହଲ୍ ସହ କଞ୍ଚା ‘ଲଙ୍କା ସିନେମା ହଲ୍’ ରେ ନିଜ ଫିଲ୍ମ ରିଲିଜ୍ କରିପାରିବେ । କେବଳ ଓଡ଼ିଶାରୁ ନୁହେଁ ଦେଶ ବିଦେଶରୁ ଦର୍ଶକ କଞ୍ଚା ଲଙ୍କାରେ ଶୋ ବୁକ୍ କରି ଓଡ଼ିଆ ସିନେମା ଦେଖିପାରିବେ । ଏଥିରୁ ଅର୍ଜିତ ଆୟ (ଟିକସ,ଗେଟୱେ ଚାର୍ଜ ଓ ପ୍ଲେ ଷ୍ଟୋର୍ ଚାର୍ଜକୁ ବାଦ ଦେଲା ପରେ) ରେ ‘କଞ୍ଚା ଲଙ୍କା’ ଓ ଫିଲ୍ମ ନିର୍ମାତା ସମାନ ଭାଗୀଦାର ରହିବେ । ସମସ୍ତ ବ୍ୟବସାୟ ସ୍ବଚ୍ଛ ଢଙ୍ଗରେ ହେବ ଓ ନିର୍ମାତା ୩ ଦିନ ଭିତରେ ନିଜ ଆୟ ନେଇପାରିବେ ବୋଲି ‘କଞ୍ଚା ଲଙ୍କା’ କର୍ତ୍ତୃପକ୍ଷ ଜଣାଇଛନ୍ତି ।

‘କଞ୍ଚା ଲଙ୍କା ସିନେମା ହଲ୍’ ର ଶୁଭାରମ୍ଭ କରି ଆମେ ବହୁତ ଖୁସି । ଏହା ଓଡ଼ିଆ ଚଳଚ୍ଚିତ୍ରକୁ ଓଡ଼ିଶା, ଦେଶ ତଥା ବିଦେଶରେ ଦର୍ଶକଙ୍କ ପାଖରେ ପହଞ୍ଚାଇ ପାରିବ ଏବଂ ସିଧାସଳଖ ଦର୍ଶକଙ୍କ ଠାରୁ ଫିଲ୍ମ ନିର୍ମାତା ମାନେ ଅଧିକ ଆଯ ଉପାର୍ଜନ କରି ପାରିବେ । ପାରମ୍ପରିକ ବିତରଣ ମଡେଲଗୁଡିକର ଅସୁବିଧା ତଥା ଥିଏଟର୍ ର ଅଭାବ ଟି.ଭି.ଓ.ଡ଼ି. ମାଧ୍ୟମରେ ସମାଧାନ ହୋଇପାରିବ ବୋଲି ‘କଞ୍ଚା ଲଙ୍କା’ର କୋ-ଫାଉଣ୍ଡର ତଥା ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା କହିଛନ୍ତି ।

‘କଞ୍ଚା ଲଙ୍କା’ ଓଟିଟି ପ୍ଲାଟଫର୍ମ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଏହି ଡିଜିଟାଲ ମିଶନ୍ ରେ ଯୋଗ ଦେଇ ଓଡ଼ିଆ ଚଳଚ୍ଚିତ୍ରକୁ ଅଗଣିତ ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ବାନ କରିଛନ୍ତି । ସାରା ଭାରତ ତଥା ଦେଶ ବିଦେଶରେ ଥିବା ଓଡ଼ିଆ ଦର୍ଶକ ଏବଂ ରୋଜଗାରକୁ ବଢାଇବା ପାଇଁ ଏହା ଏକ ସୁଯୋଗ ।

‘କଞ୍ଚା ଲଙ୍କା’ ସିନେମା ହଲ୍ ୱେବସାଇଟ୍, ମୋବାଇଲ୍ ଆପ୍ (ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍), ଆଣ୍ଡ୍ରଏଡ୍ ଟିଭି, ଫାୟାର ଟିଭି, ଆପଲ୍ ଟିଭି ସହ ଭାରତ ଏବଂ ଅନ୍ୟାନ୍ୟ ୧୬ଟି ଦେଶରେ ଉପଲବ୍ଧ । ଆପ୍ ଭିତରେ ବିଜ୍ଞପ୍ତି (ପ୍ରାୟ ୧୦ ଲକ୍ଷ ଆପ୍ ଇନଷ୍ଟଲ୍), ୟୁ ଟ୍ୟୁବ୍ ପୋଷ୍ଟ (୧ ଲକ୍ଷରୁ ଉର୍ଦ୍ଧ୍ବ ସବସ୍କ୍ରାଇବର୍), ଫେସ୍ ବୁକ୍ ପୋଷ୍ଟ (ପ୍ରାୟ ୫୦ ହଜାର ଫଲୋଅର), ଟ୍ୱିଟର୍, ଇନଷ୍ଟାଗ୍ରାମ୍ ଏବଂ ଅନ୍ୟାନ୍ୟ ମାଧ୍ୟମରେ ‘କଞ୍ଚା ଲଙ୍କା’ ଫିଲ୍ମକୁ ମାର୍କେଟିଂ ସହାୟତା ପ୍ରଦାନ କରିବ । ଫିଲ୍ମ ନିର୍ମାତାମାନେ ମଧ୍ୟ ମାର୍କେଟିଂ କରିବେ ଯାହା ଦ୍ବାରା ଅଧିକରୁ ଅଧିକ ଗ୍ରାହକ ଟି.ଭି.ଓ.ଡ଼ି. ବିଷୟରେ ଜାଣିପାରିବେ ।

ଫିଲ୍ମ ରିଲିଜ୍ ସମୟରେ ଏହି ସର୍ଭିସ ପାଇଁ ଓଡ଼ିଶାର ଅନେକ ଚଳଚ୍ଚିତ୍ର ନିର୍ମାତାଙ୍କ ସହ ‘କଞ୍ଚା ଲଙ୍କା’ କର୍ତ୍ତୃପକ୍ଷ ଏହି ବ୍ୟବସାୟ ମଡେଲ ବିଷୟରେ ଆଲୋଚନା କରିଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଅନେକ ଚଳଚ୍ଚିତ୍ର ନିର୍ମାତା ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ନିଜ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ରାଜି ହୋଇଛନ୍ତି ।

‘କଞ୍ଚା ଲଙ୍କା ସିନେମା ହଲ୍’ ରେ ପ୍ରଥମ ଥର ପାଇଁ ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ ମୁକ୍ତିଲାଭ କରିଛି | ଶ୍ରୀ ଜିତେଶ କୁମାର ପରିଡାଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ‘ଟି’ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ସଂଗ୍ରାମର କାହାଣୀ | ଏହି ଚଳଚ୍ଚିତ୍ରରେ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ପଛର ଦୁଃଖ ଏବଂ ସଂଘର୍ଷ ଖୁବ ସୁନ୍ଦର ଭାବରେ ଦର୍ଶାଯାଇଛି | ଏହି କାହାଣୀ ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର୍ କ୍ୟାବ୍ ଡ୍ରାଇଭର୍ ଶ୍ରୀମତୀ ମେଘନା ସାହୁଙ୍କ ଜୀବନୀ ଉପରେ ଆଧାରିତ ।

କଞ୍ଚା ଲଙ୍କା ସିନେମା ହଲ୍ ମାଧ୍ୟମରେ ଏହି ଚଳଚ୍ଚିତ୍ର ବହୁ ଦର୍ଶକଙ୍କ ପାଖରେ ପହଁଚିପାରିବ ତଥା ଏହା ଏକ ସଫଳ ବ୍ଯବସାୟିକ ଚଳଚ୍ଚିତ୍ର ହେବ ବୋଲି ପ୍ରଯୋଜକ ଓ ନିର୍ଦ୍ଦେଶକ ଜିତେଶ କୁମାର ଆଶା ପ୍ରକଟ କରିଛନ୍ତି ଏବଂ କଞ୍ଚା ଲଙ୍କା ଓଟିଟି ପ୍ଲାଟଫର୍ମ କୁ ଧନ୍ୟବାଦ ଦେଇଛନ୍ତି ।

ଏହା ଉପରେ ଅଧିକ ସୂଚନା ଦେଇ ‘ଟି’ ନିର୍ଦ୍ଦେଶକ ଶ୍ରୀ ଜିତେଶ କୁମାର ପରିଡ଼ା କହିଛନ୍ତି ଯେ, ‘ଓଡିଶାରେ ଏହି ମହତ୍ତ୍ୱପୂର୍ଣ୍ଣ ଡିଜିଟାଲ୍ ମିଶନ୍ ରେ ଅଂଶ ଗ୍ରହଣ କରି ମୁଁ ବହୁତ ଖୁସି । ମୁଁ ଆଶା କରୁଛି ଯେ ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାତା ଏହି ମିଶନରେ ଯୋଗଦେବେ ଯାହା କେବଳ ଓଡିଶାର ସିନେମା ହଲ୍ ଅଭାବର ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପ ନୁହେଁ ବରଂ ଆମକୁ ଓଡ଼ିଆ ସଂସ୍କୃତିକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇବାରେ ସାହାଯ୍ୟ କରିବ’ ।

Leave A Reply

Your email address will not be published.