ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦିଲ୍ଲୀର ବିଶେଷଜ୍ଞ
ଭୁବନେଶ୍ୱର (ଆମ ଟିଭି): ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି । ଦିଲ୍ଲୀ ଏମ୍ସ ସମେତ ବିଭିନ୍ନ ପ୍ରତିଷ୍ଠାନରୁ ବିଶେଷଜ୍ଞ ଡାକ୍ତରୀ ଟିମ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ।
ସେ କହିଛନ୍ତି, ‘ଦିଲ୍ଲୀ ଏମ୍ସ, ଲେଡି ହାର୍ଡିଂସ ତଥା ଅନ୍ୟାନ୍ୟ ପ୍ରତିଷ୍ଠାନର ବିଶେଷଜ୍ଞମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ବିଶେଷଜ୍ଞ ଟିମ ସହ ସବିଶେଷ ଆଲୋଚନା ହୋଇଛି । କେଉଁ ସ୍ଥାନରେ କେଉଁ ବିଶେଷଜ୍ଞ ଡାକ୍ତର ନିୟୋଜିତ ହେବେ ତାହାର ନିର୍ଦ୍ଧାରଣ କରାଯାଇଛି । ଏଥିଲାଗି ଓ୍ବାର୍କିଂ ପ୍ଲାନ ମଧ୍ୟ କରାଯାଇଛି ।’ ଆଗକୁ ସେ କହିଛନ୍ତି, ‘୧୦୦ରୁ ଅଧିକ ଆହତଙ୍କ ଲାଗି କ୍ରିଟିକାଲ କେୟାର ବ୍ୟବସ୍ଥା ଜରୁରୀ ହୋଇଛି । ଅଧିକରୁ ଅଧିକ ଲୋକଙ୍କ ଜୀବନ ରକ୍ଷା ଲାଗି ଶତଚେଷ୍ଟା କରାଯାଉଛି ।’